ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହ ଛିଡ଼ା ହୋଇଛୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ‘ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ମୁଁ ଏବଂ ମୋ ସରକାର ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଛୁ। ବନ୍ୟାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍ ଆୟୁକ୍ତଙ୍କ ସହିତ ସେ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ
ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତଙ୍କୁ ନିବେଦନ, ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ। ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହ ଛିଡ଼ା ହୋଇଛୁ। ପ୍ରଶାସନର ସୂଚନାକୁ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶ୍ବାସନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟକୁ ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜଳସ୍ତର ଓ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏସ୍ଆରସିଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ଖୋଲା ରଖାଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଏନ୍ଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପୁଲିସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଏବଂ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଉଛି।
Powered by Froala Editor