ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
ନୂଆଦିଲ୍ଲୀ: ବର୍ଷା ଅଭାବ ୧୨ ପ୍ରତିଶତକୁ ଖସି ଆସିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ମୌସୁମୀ ବର୍ଷା ହୋଇଛି। ଏଲ୍ ନିନୋ ବର୍ଷ ହେଲେ ବି ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଆବଶ୍ୟକ ନୁହେଁ। ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖରିଫ ଋତୁର ଅଗ୍ରଗତି ଏବଂ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ଉପରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏଲ ନିନୋ ସମ୍ପର୍କିତ ପଦକ୍ଷେପ ଗୁଡ଼ିକର ସମୀକ୍ଷା କରାଯାଇଥିଲା।
ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଛି । ତଥାପି ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ବର୍ଷା ଯୋଗୁଁ ସମଗ୍ର ଦେଶରେ ବର୍ଷା ଅଭାବ ୧୨ ପ୍ରତିଶତକୁ ଖସି ଆସିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ବର୍ଷା ହୋଇଛି। ଜୁଲାଇ ଓ ଅଗଷ୍ଟରେ ଦୁର୍ବଳରୁ ମଧ୍ୟମ ଏଲ୍ ନିନୋ ରହିବାର ସମ୍ଭାବନା ଅଛି ବୋଲି ପିଏମଓ ଏକ ବିବୃତ୍ତି ଜାରି କରିଛି । ଏହା ଏଲ୍ ନିନୋ ବର୍ଷ ହେଲେ ମଧ୍ୟ ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଜରୁରୀ ନୁହେଁ। ୩୦ ପ୍ରତିଶତରୁ ଅଧିକ ମୌସୁମୀ ବର୍ଷା ଜୁଲାଇ ମାସରେ ହୋଇଥାଏ। ତେଣୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ବିବୃତ୍ତିରେ କୁହାଯାଇଛି।
କେନ୍ଦ୍ର କୃଷି ସଚିବ ଖରିଫ ଋତୁରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ଦେଇଛନ୍ତି। ବର୍ଷା, ଜଳଭଣ୍ଡାର ସଂରକ୍ଷଣ, ଫସଲ ବୁଣା, ସାର ଓ ଅନ୍ୟାନ୍ୟ ସାମଗ୍ରୀର ଉପଲବ୍ଧତା, ବଜାର ଧାରା ଏବଂ କୀଟ ଓ ରୋଗର ସ୍ଥିତିକୁ ନଜରେ ରଖି ସମୟାନୁସାରେ ନିଷ୍ପତ୍ତି ନେବା ଓ ଜରୁରୀ ପ୍ରତିକାର ପାଇଁ ରାଜ୍ୟଗୁଡ଼ିକ ସହିତ ଫସଲ ଓ ପାଣିପାଗ ବିଭାଗର ବୈଠକ ଅନୁଷ୍ଠିତ କରାଯାଉଛି।
Powered by Froala Editor