ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ
୭୦ ବର୍ଷ ବୟସରେ ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଗାୟିକାଙ୍କ ନିଧନ ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ରବିବାର ଭୋର ୩:୧୫ ରେ ତୀଜନ ବାଈଙ୍କ ଦେହାନ୍ତ ହୋଇଛି। ଫୁସଫୁସରେ ପାଣି ଜମା ହେବା, ନିମୋନିଆ ଏବଂ ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କୁ ମେ’ ୨୭ ତାରିଖରେ ରାୟପୁର ଏମ୍ସର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ସଙ୍ଗୀତ ଜଗତକୁ ଏକ ବଡ଼ ଧକ୍କା ଲାଗିଛି।
୮ ଅଗଷ୍ଟ ୧୯୫୬ ମସିହାରେ ଛତିଶଗଡ଼ର ଭିଲାଇ ନିକଟସ୍ଥ ଗଣିଆରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହୁକୁମଚାନ୍ଦ ପରଧା ଏବଂ ମାତାଙ୍କ ନାମ ସୁଖବତୀ ବାଈ। ସେ ଛତିଶଗଡ଼ର ପାରଧି ଅନୁସୂଚିତ ଜନଜାତିର ଥିଲେ। ପିଲାବେଳେ, ସେ ତାଙ୍କ ଜେଜେବାପା ବ୍ରଜଲାଲ ପରଧିଙ୍କଠାରୁ ଛତିଶଗଡ଼ୀ ହିନ୍ଦୀରେ ଗାନ କରି ଶୁଣି ମହାଭାରତର କାହାଣୀଗୁଡ଼ିକୁ ମନେ ରଖିଥିଲେ। ଏହା ପରେ, ସେ ଉମେଦ ସିଂହ ଦେଶମୁଖଙ୍କଠାରୁ ଅନୌପଚାରିକ ତାଲିମ ପାଇଥିଲେ। ସେ ୧୩ ବର୍ଷ ବୟସରେ ତାଙ୍କର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ। ସେହି ସମୟରେ, ମହିଳାମାନେ କେବଳ ବସି ପାଣ୍ଡବାଣୀ ଗାନ କରୁଥିଲେ, ଯାହା ବେଦମତୀ ଶୈଳୀ ଭାବରେ ଜଣାଶୁଣା । ତୀଜନ ବାଈ ପ୍ରଥମ ମହିଳା ଥିଲେ ଯିଏ ପୁରୁଷ-ପ୍ରଧାନ କାପାଳିକା ଶୈଳୀକୁ ଚୟନ କରି ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ଠିଆ ହୋଇ ପ୍ରଦର୍ଶନ କରିଥିଲେ। ତୀଜନ ବାଈ ପାଣ୍ଡବାଣୀର ପାରମ୍ପରିକ ମହାଭାରତ କାହାଣୀ କଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ଜଣେ ଅଗ୍ରଣୀ କଳାକାରଥିଲେ।
ଛତିଶଗଡ଼ର ଲୋକକଳା ଏବଂ ‘ପଣ୍ଡବାଣୀ’ (Pandwani) ଗାୟନକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତୀଜନ ବାଈଙ୍କ ଅପୂର୍ବ କଳା ନୈପୁଣ୍ୟ ପାଇଁ ଭାରତ ସରକାର ତାଙ୍କୁ ୧୯୮୮ ମସିହାରେ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଥିଲେ। ଏହାପରେ ୨୦୦୩ରେ ତାଙ୍କୁ ‘ପଦ୍ମଭୂଷଣ’ ଏବଂ ୨୦୧୯ରେ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ କଣ୍ଠସ୍ୱରର ଯାଦୁରେ ସମସ୍ତେ ବିମୋହିତ ହୋଇଯାଉଥିଲେ ଏବଂ ଏହି କାରଣରୁ ତାଙ୍କୁ ୩ ଥର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଥିଲା।
Powered by Froala Editor