ଆଜି ଶ୍ରୀମନ୍ଦିରକୁ ବିଜେ ହେବ ଠାକୁରଙ୍କ ଫୁଲୁରୀ ତେଲ
ପୁରୀ : ଆଜି ଠାକୁରଙ୍କ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ ହେବ । ପରେ ଫୁଲୁରୀ ତେଲ ଲାଗି କରାଯାଇ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବାରେ ଲାଗିପଡ଼ିବେ ଦଇତାପତି ସେବାୟତଗଣ।
ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ ହୋଇଛି ମହାପ୍ରଭୁଙ୍କ ଫୁଲୁରୀ ତେଲ । ଏଥିରେ ରହିଥାଏ ୨୪ ପ୍ରକାର ଉପାଦାନ । ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଦୁର୍ଲଭ ଔଷଧିୟ ତେଲ ଠାକୁରଙ୍କୁ ଲାଗି ହେବ । ହେରାପଞ୍ଚମୀରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ସରିଲେ ସାନ୍ଧ୍ୟ କାଳରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ କିମ୍ବା ଉତ୍ତରାଧିକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ ରହିଛି । କେହି ନଦେଖିଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳା ହୋଇ ରହିଥାଏ । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ । ସେହି ଦିନ ଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଉକ୍ତ ତେଲ ମୁଦ ଦିଆଯାଇ ରହିଥାଏ । ପରେ ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ରହିଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକରା ଆସିଲା ପରେ ଫୁଲୁରୀ ତେଲ ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିଥାଏ ।
Powered by Froala Editor