YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ
ତାମିଲନାଡୁର ତିରୁପ୍ପୁରରେ YouTube ଦେଖି ଘରେ ପ୍ରସବ କରିବାକୁ ଚେଷ୍ଟା କରିବା ଜଣେ ମହିଳାଙ୍କ ମୃତ୍ୟୁର କାରଣ ହୋଇଛି। ଗୋଟିଏ ଗାଁର ୩୨ ବର୍ଷୀୟା ମହିଳା କେ. ଶଶିକଳାଙ୍କର ୨୪ ଜୁନ୍ ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ତାଙ୍କ ସ୍ୱାମୀ କୋଲନ୍ଦଚାମି ଏବଂ ଶାଶୁ ନିଜ ଘରେ YouTubeରେ ନାଚୁରାଲ ଚାଇଲ୍ଡବର୍ଥ ସମ୍ପର୍କିତ ଭିଡିଓ ଦେଖି ପ୍ରସବ କରାଇବାରେ ସହଯୋଗ କରିଥିଲେ। ଶଶିକଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁ ଜନ୍ମ ପରେ ପ୍ଲେସେଣ୍ଟା ବାହାରକୁ ଆସିପାରିନଥିଲା। ଫଳରେ ଶଶିକଳାଙ୍କର ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା।
କେ. ଶଶିକଳାଙ୍କର ପ୍ରସବ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା ଏବଂ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ, ଏହି ଦମ୍ପତିଙ୍କର ପୂର୍ବରୁ ୬ ବର୍ଷର ଏକ ଝିଅ ରହିଛି। ୨୦୨୦ ମସିହାରେ ପ୍ରଥମ ସନ୍ତାନ ଜନ୍ମ ସମୟରେ ଶଶିକଳାଙ୍କର ସିଜରିଆନ୍ କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା ଏବଂ ସୁସ୍ଥ ହେବାକୁ ଦୀର୍ଘ ସମୟ ଲାଗିଥିଲା। ଏହି ଅନୁଭୂତି ପରେ ଶଶିକଳା ଏବଂ ତାଙ୍କ ସ୍ୱାମୀ ପରବର୍ତ୍ତୀ ସନ୍ତାନର ପ୍ରସବ ପ୍ରାକୃତିକ ଉପାୟରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ସେମାନେ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥିଲେ ଏବଂ କେବଳ YouTube ଭିଡିଓ ଦେଖି ଘରେ ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ।
Powered by Froala Editor