ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
ଜମ୍ମୁ/ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପବିତ୍ର ଓ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । ଚଳିତ ବର୍ଷ ଯାତ୍ରାରେ ପ୍ରଥମ ଥର ପାଇଁ ବାବାଙ୍କ ଦର୍ଶନ କରିବାକୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରୀଙ୍କ ପ୍ରଥମ ଦଳକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ସମୟରେ ସମଗ୍ର ଅଞ୍ଚଳ 'ବମ୍ ବମ୍ ଭୋଲେ' ଏବଂ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ଦେଶର କୋଣ-ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ରାଜସ୍ଥାନରୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ଜୋସ୍ ବେଶ୍ ହାଇ ଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ବାବା ବର୍ଫାନୀଙ୍କ ଦର୍ଶନ କରିବାକୁ ଯାଉଛନ୍ତି ।
"ଆମେ ଗୋଟିଏ ବର୍ଷ ହେବ ଏହି ଦିନକୁ ଅପେକ୍ଷା କରିଥିଲୁ । ଯେତେବେଳେ ରେଜିଷ୍ଟ୍ରେସନ ଆରମ୍ଭ ହେଲା, ଆମେ ପ୍ରଥମେ ନାମ ପଞ୍ଜିକରଣ କରିଥିଲୁ ଯେମିତି ପ୍ରଥମ ଦଳରେ ହିଁ ବାବାଙ୍କ ଦର୍ଶନ କରିପାରିବୁ । ଯଦି ବାବା ଡାକିଛନ୍ତି ଏବଂ ସେନା ଆମ ସୁରକ୍ଷାରେ ଅଛି, ତେବେ କୌଣସି ଭୟ ନାହିଁ ।" ବୋଲି ଶ୍ରଦ୍ଧାଳୁ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ପ୍ରାୟ ୭୦,୦୦୦ରୁ ଅଧିକ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି । CRPF ଯବାନ ଏବଂ କୋବ୍ରା କମାଣ୍ଡୋମାନେ ଶ୍ରଦ୍ଧାଳୁଙ୍କ ଗାଡ଼ି ସହ ରହିଛନ୍ତି ।
Powered by Froala Editor