ଗ୍ରାମବାସୀଙ୍କ ପ୍ରବଳ ବିରୋଧ, ହୋଇପାରୁନି ବୃଦ୍ଧଙ୍କ ଶବ ସଂସ୍କାର
ରାୟଗଡ଼ା : ଧର୍ମ ବଦଳାଇଥିଲେ ବୋଲି ଶବକୁ ମିଳୁନି ଶ୍ମଶାନ। ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ହୋଇପାରୁନି ବୃଦ୍ଧଙ୍କ ଶବ ସଂସ୍କାର। ରାୟଗଡା ବ୍ଲକ ଗାଜିଗାଁ ଗ୍ରାମରେ ଘଟଣା ଘଟିଛି। ଦୀର୍ଘ ୨୪ ଘଣ୍ଟା ହେବ ବୃଦ୍ଧଙ୍କ ଶବ ପଡ଼ି ରହିଛି।
ସୂଚନାନୁଯାୟୀ, ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ) ୪ ରୁ ୫ ବର୍ଷ ତଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳ ପ୍ରାୟ ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ଆଜି ସ୍ଥାନୀୟ ଶ୍ମଶାନରେ କବର ଦିଆଯାଇଥାନ୍ତା। ହେଲେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀ ବାରଣ କରିଥିଲେ। ପ୍ରବଳ ବିରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଦାମଙ୍କ ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି।
ସ୍ଥାନୀୟ ପରମ୍ପରା ଅନୁଯାୟୀ ଗ୍ରାମରେ କାହାର ମୃତ୍ୟୁ ହେଲେ ରୋଷେଇ ହୁଏ ନାହିଁ । ଦାମଙ୍କ ମୃତ୍ୟୁ ହେବାର ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳି ପାରିନି। ତେଣୁ ଗ୍ରାମରେ ଏବେ ରୋଷେଇ ବନ୍ଦ ରହିଛି । ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ।
Powered by Froala Editor