ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକଙ୍କ ଗଲା ଜୀବନ
ବାଲିଶଙ୍କରା : ତଲସରା ଥାନା ଅନ୍ତର୍ଗତ ଯମୁନା ପଞ୍ଚାୟତର ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକ ହେମନ୍ତ ନାଏକ (୨୬) ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଗ୍ରାମରେ ଡେମୂଳ ପୂଜା (ଗାଁ ପୂଜା) ଅନୁଷ୍ଠିତ ହୋଇଥିଲା। ଏହି ପୂଜାରେ କନ୍ଦର୍ପ ଦେହୁରୀ ଗ୍ରାମର କାଲୋ (ପୂଜକ) ଭାବେ ଦାୟିତ୍ୱରେ ଥିଲେ। ପୂଜା ପରେ କୌଣସି କଥାକୁ କେନ୍ଦ୍ର କରି କନ୍ଦର୍ପ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ଝଗଡ଼ା ହୋଇଥିଲା। ଭୟଭୀତ ହୋଇ କନ୍ଦର୍ପଙ୍କ ସ୍ତ୍ରୀ ପଡ଼ୋଶୀ ହେମନ୍ତ ନାଏକଙ୍କ ଘରକୁ ଦୌଡ଼ି ପଳାଇଥିଲେ। କନ୍ଦର୍ପ ମଧ୍ୟ ତାଙ୍କ ପଛେ ପଛେ ସେଠାରେ ପହଞ୍ଚିଥିଲେ। ସେଠାରେ ହେମନ୍ତ, ତାଙ୍କ ଭାଇ ଓ ଭଉଣୀ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ କନ୍ଦର୍ପ ହେମନ୍ତଙ୍କ ଭଉଣୀଙ୍କୁ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହେମନ୍ତ ଓ କନ୍ଦର୍ପଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ଗ୍ରାମର କିଛି ଯୁବକ କନ୍ଦର୍ପଙ୍କୁ ତାଙ୍କ ଘରେ ଛାଡ଼ି ଆସିଥିଲେ।
ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୦.୩୦ରୁ ୧୧ଟା ମଧ୍ୟରେ ହେମନ୍ତ ନିଜ ଘର ପାଖରେ ଏକାକୀ ବସିଥିବା ବେଳେ କନ୍ଦର୍ପ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ତଲସରା ଥାନା ଅଧିକାରୀ ଯଶୋବନ୍ତୀ ବାଗ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରାଯାଇଛି।
Powered by Froala Editor