୩ଟି ପାହାଡ଼ ଚଢି ପାଠ ପଢ଼ିବାକୁ ଯାଉଛନ୍ତି ପିଲା
ଲକ୍ଷ୍ମୀପୁର: ଅବହେଳିତ ରୁମ୍ବେଲି ଗାଁ। ଅଧିକାରୀ ଆସୁଛନ୍ତି। ସମସ୍ୟା ଦେଖି ଚିନ୍ତାବ୍ୟକ୍ତ କରୁଛନ୍ତି। ଇତିମଧ୍ୟରେ ଦୁଇ ଦୁଇଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉକ୍ତ ଗ୍ରାମକୁ ଗସ୍ତ କରି ପ୍ରତିଶ୍ରୁତି ଦେଇ ବଦଳି ହୋଇ ଚାଲିଗଲେ, ହେଲେ ଫଳ ଶୂନ। ବର୍ତ୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ମଧ୍ୟ କିଛିମାସ ତଳେ ଉକ୍ତ ଗ୍ରାମକୁ ଯାଇ ପ୍ରତିଶ୍ରୁତି ଅଜାଡ଼ି ଦେଇଥିଲେ ହେଁ କୌଣସି ଉନ୍ନୟନ କାର୍ଯ୍ୟ ଆଗେଇ ପାରିନି। ଗାଁକୁ ରାସ୍ତା ନାହିଁ। ବିଦ୍ୟାଳୟ ନଥିବାରୁ ଶିକ୍ଷା ବ୍ୟବସ୍ଥା ବାଟବଣା। ଯେଉଁ କିଛି ପିଲା ପାଠ ପଢୁଛନ୍ତି ସେମାନେ ୮ କିଲୋମିଟର ଦୂରରେ ଥିବା ରଞ୍ଜିତଗୁଡା ବିଦ୍ୟାଳୟକୁ ଯାଉଛନ୍ତି। ପାଠ ପଢ଼ିବା ପାଇଁ ପିଲାଙ୍କୁ ୩ଟି ପାହାଡ଼ ଚଢିବାକୁ ପଡୁଛି।
ଅଙ୍ଗନବାଡ଼ି କର୍ମୀ ଥିଲେ ମଧ୍ୟ କେନ୍ଦ୍ରର କୋଠା ନାହିଁ। ରାସ୍ତା ନଥିବାରୁ ବୃଦ୍ଧବୃଦ୍ଧା ଦୁର୍ଗମ ପାହାଡ଼ ରାସ୍ତାଦେଇ ଲକ୍ଷ୍ମୀପୁରକୁ ଯାଉଛନ୍ତି। ଟଙ୍କିକିଆ ଚାଉଳ ପାଇଁ ମଧ୍ୟ ଏମାନଙ୍କୁ ଶତାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ନାରାୟଣପାଟଣା ବ୍ଲକର ମୁଷଳମୁଣ୍ଡା ଦେଇ ପ୍ରାୟ ୮ କିଲୋମିଟର ଆସିବା ପରେ କମାଣ୍ଡର ଜିପ୍ କିମ୍ବା ଅଟୋ ଭଡ଼ା କରି ଲୋକେ ଲକ୍ଷ୍ମୀପୁରରେ ପହଞ୍ଚନ୍ତି। ରାତି ଅଧରେ ଯଦି କିଏ କୌଣସି ରୋଗରେ ଆକ୍ରାନ୍ତ ହେଲା ଅବା ଗର୍ଭବତୀ ଗର୍ଭଯନ୍ତ୍ରଣାେର ଛଟପଟ ହେଲେ କଥା ସରିଲା। ସେମାନଙ୍କୁ ଭାରକରି ଘୋଡାଟିକିରି ଯାଏଁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ କିମ୍ବା ଅଟୋରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହୁଏ। ଗ୍ରାମର ଅଳ୍ପ କେତେଜଣଙ୍କୁ ଛାଡ଼ି ଦେଲେ ସବୁ ପରିବାକୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। କହିବାକୁ ଗଲେ ସମସ୍ତ ସରକାରୀ ଯୋଜନାରୁ ଏହି ଗାଁ ବଞ୍ଚିତ।
ସରକାରଙ୍କ ନିକଟରେ ପହଞ୍ଚି ପାରିନାହିଁ ଏହି ଗାଁବାସୀଙ୍କ ବିକଳ ଚିତ୍ର। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ରୁମ୍ବେଲି ଗ୍ରାମରେ ବସବାସ କରୁଛନ୍ତି ୧୮ ପରିବାରର ୮୦ ସଦସ୍ୟ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ପ୍ରତିବର୍ଷ ସରକାର ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିକାଶ ହୋଇ ପାରିନାହିଁ। ନାନା ଅସୁବିଧା ଭିତରେ କାଳାତିପାତ କରୁଛନ୍ତି ଏହି ଗ୍ରାମର ଜନସାଧାରଣ। ବର୍ତ୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ହୋଇନଥିବାରୁ ଗାଁବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
Powered by Froala Editor