ପିଲାଙ୍କ ପାଠ୍ୟବହିରେ ତ୍ରୁଟି : ତଥ୍ୟ ରଖିଲେ ଗଣଶିକ୍ଷା ସଚିବ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟିର ତଦନ୍ତ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସଚିବ ୩ ଜଣିଆ କମିଟି ପାଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି । ପୁସ୍ତକରେ ଲେଖାରୁ ଛପା ଯାଏଁ ସବୁଥିର ଚାଲିଛି ଯାଂଚ୍। କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟକେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ଟିକନିଖି ଅନୁଧ୍ୟାନ କରୁଛନ୍ତି । ପ୍ରକାଶନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ। ଉଚ୍ଚସ୍ତରୀୟ କମିଟି ୭ ଦିନ ମଧ୍ୟରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏହି ତ୍ରୁଟି ପାଇଁ ଦୋଷୀ ଖୋଜିବାକୁ ତଦନ୍ତ କମିଟି ଗଠନ ହୋଇଛି । ତଦନ୍ତର ପ୍ରଥମ ଦିନରେ ପାଠ୍ୟପୁସ୍ତକ ପ୍ରସ୍ତୁତି ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି)ରୁ ଲୋକସେବା ଭବନକୁ ଯାଇଛି ।
ଉନ୍ନୟନ କମିଶନର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଳା ନାଏକଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଏହା ପୂର୍ବରୁ ଗଣଶିକ୍ଷା ସଚିବ ଏସ୍ସିଇଆର୍ଟି ଅଫିସକୁ ଆସିଥିଲେ । ସେଠାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ବହିରେ ଥିବା ତ୍ରୁଟିକୁ ଯାଞ୍ଚ କରିଥିଲେ । ଏନସିଇଆରଟି ବହିରୁ ଅନୁବାଦ ହୋଇଥିବାରୁ ଏନସିଇଆରଟିର ବହିର ଉକ୍ତ ବିଷୟକୁ ମଧ୍ୟ ଖୋଲି ଦେଖିଥିଲେ । ଏନସିଇଆରଟି ବହିରେ ଝାଡ଼ଖଣ୍ଡ ରାଜ୍ୟରେ ନିୟମଗିରି ଥିବା ଉଲ୍ଲେଖ ହୋଇଥିବା ଦେଖିବାକୁ ପାଇଥିଲେ । ଗଣଶିକ୍ଷା ସଚିବ ଏସସିଇଆରଟିରୁ ବାହାରିବା ପରେ ଲୋକସେବା ଭବନ ଯାଇଥିଲେ । ସେଠାରେ ଉନ୍ନୟନ କମିଶନରଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସହ ତଥ୍ୟ ଉପସ୍ଥାପନ କରିଛନ୍ତି ।
ସେପଟେ SCERT ନିର୍ଦ୍ଦେଶକ ପଦବୀରେ ଶିକ୍ଷାବିତ କିମ୍ବା ଜଣେ ପ୍ରଫେସରଙ୍କ ବଦଳରେ ପ୍ରଶାସନିକ ଅଧିକାରୀ ରହିବା ନେଇ ପ୍ରଶ୍ନ ଉଠିଛି । ଶିକ୍ଷାବିତ କହିଛନ୍ତି, ଏହି ଗୁରୁତ୍ବପୂର୍ଣ୍ଣ ଏକାଡେମିକ ପଦବୀରେ ପ୍ରଶାସନିକ ବ୍ୟକ୍ତିଙ୍କ ନିଯୁକ୍ତି ହିଁ ପାଠ୍ୟପୁସ୍ତକ ବିଭ୍ରାଟର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶିଶୁ ମନସ୍ତତ୍ତ୍ବ ବୁଝିବା ପାଇଁ ଶିକ୍ଷା କ୍ଷେତ୍ରରେ ଦୀର୍ଘବର୍ଷର ଗବେଷଣାତ୍ମକ ଅଭିଜ୍ଞତା ଆବଶ୍ୟକ, ଯାହା ପ୍ରଶାସନିକ ଅଧିକାରୀଙ୍କ ପାଖରେ ନଥାଏ।
Powered by Froala Editor