ଏହି ବିଷୟ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ସମସ୍ତଙ୍କୁ ତୁରନ୍ତ ଏହା ପ୍ରଦାନ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୩ ମାସ ଧରି ପେନ୍ସନ ବନ୍ଦ ରହିବା କାରଣରୁ ସେମାନେ ଚରମ ଅସୁବିଧା, ଅଭାବ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗଞ୍ଜାମ ଜିଲାର ବେଗୁନିଆପଡ଼ା ଅଞ୍ଚଳର ସାବିତ୍ରୀ ଡୋରା ପେନ୍ସନ ନ ମିଳିବା କାରଣରୁ ଜୀବନ ହାରିଥିବା ଖବର ଗ୍ରହଣଯୋଗ୍ୟ ନୁହେଁ। ସଫ୍ଟଓ୍ବେରଜନିତ ତ୍ରୁଟି କାରଣରୁ ପେନ୍ସନ ଟଙ୍କା ମିଳିନାହିଁ ବୋଲି କହିବା ଆଶ୍ଚର୍ଯ୍ୟଜନକ। ଏହା ସରକାରଙ୍କ ଅବହେଳା ଓ ମୌଳିକ ଦାୟିତ୍ୱ ପାଳନରେ ବିଫଳତାକୁ ପ୍ରତିଫଳିତ କରୁଛି। ବିଜେଡି ସରକାର ସମୟରେ ପ୍ରତ୍ୟେକ ମାସର ୧୫ ତାରିଖରେ ‘ଜନସେବା ଦିବସ’ ଅବସରରେ ନିୟମିତ ଭାବେ ଲୋକମାନଙ୍କୁ ପେନ୍ସନ ଦିଆଯାଉଥିଲା। ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସେହି ବ୍ୟବସ୍ଥାର ଗୁରୁତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି। ସରକାର ତୁରନ୍ତ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଜରିଆରେ ପେନ୍ସନ ହିତାଧିକାରୀଙ୍କ ପାଖରେ ପହଞ୍ଚାଉ। ଏଥିଲାଗି ଦାୟୀ ଅଧିକାରୀମାନଙ୍କୁ ବିଳମ୍ବ ହେବାକୁ ନେଇ ଜବାବ ମାଗୁ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି।
Powered by Froala Editor