ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା: ନିଲମ୍ବିତ ହେଲେ ଆଇପିଏସ୍ ଦୟାଲ
ଭୁବନେଶ୍ବର: ବାଲିଅନ୍ତାରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ବିବାଦକୁ ଆସିଥିବା ଆଇପିଏସ୍ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସେ ଏବେ ଗୃହ ବିଭାଗର ଓଏସ୍ଡ଼ି ଭାବେ କାର୍ଯ୍ୟ କରୁଥିଲେ। ଜିଆର୍ପି କନଷ୍ଟେବଳ ସୌମ୍ୟ ମୃତ୍ୟୁ ମାମଲାରେ ଯୋଗାଯୋଗ ବିଭାଗର ଏଡିଜି ଥିବା ଶ୍ରୀ ଗଙ୍ଗୱାର ବିବାଦକୁ ଆସିଥିଲେ। ତେଣୁ ତାଙ୍କୁ ରାଜ୍ୟ ସରକାର ଗୃହ ବିଭାଗରେ ଓଏସ୍ଡି ଭାବେ ବଦଳି କରିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଘରୋଇ କାମରେ ନିୟୋଜିତ କରିଥିଲେ ବୋଲି ସୌମ୍ୟଙ୍କ ବାପା ଓ ମା’ ଅଭିଯୋଗ କରିଥିଲେ। ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ଅଭିଯୋଗର ସତ୍ୟତା ଯାଞ୍ଚ ଲାଗି ରେଳପଥ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏହି ରିପୋର୍ଟ ଆଧାରରେ ସରକାର ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ସୌମ୍ୟଙ୍କ ମୃତ୍ୟୁ ଦିନ ସତ୍ୟବିହାରସ୍ଥିତ ଜିମ୍ରୁ ବୋର୍ଡ ହଟାଇ ଦିଆଯାଇଥିବାରୁ ଶ୍ରୀ ଗଙ୍ଗୱାର ସମ୍ପୃକ୍ତ ରହିଥିବା ଅଭିେଯାଗ କରି ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି ତାଙ୍କୁ ବିବାଦ ଭିତରକୁ ଟାଣିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ଧମକଚମକ ଦେବା କଥା ସେ ଡାଏରିରେ ଲେଖିଥିବା କହିଥିଲେ।
Powered by Froala Editor