ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଦାଖଲ ହେଲା ସୌମ୍ୟଙ୍କ ସର୍ଭିସ ରିପୋର୍ଟ
ଭୁବନେଶ୍ୱର : ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଘଟିଥିବା ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ପ୍ରଶାସନିକ ତଦନ୍ତ ପ୍ରକିୟା ଆରମ୍ଭ ହୋଇଛି। ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କୁ ଏଡିଜି ଅରୁଣ ବୋଥ୍ରା ସୌମ୍ୟଙ୍କ ସର୍ଭିସ ରିପୋର୍ଟ ଦାଖଲ କରିଛନ୍ତି। ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଶ୍ରୀ ବୋଥ୍ରାଙ୍କୁ କ୍ରାଇମ୍ବ୍ରାଞ୍ଚ ଡିଜି ସୌମ୍ୟଙ୍କ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟ ଦାଖଲ ପରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ପାଇଁ ଅଡୁଆ ବଢ଼ିବା ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଆଇପିଏସ୍ ଗଙ୍ଗୱାରଙ୍କ ନାଁରେ ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କୁ ଘରକୁ ଡାକି ଗଙ୍ଗୱାର ଜିମ୍ ଟ୍ରେନିଂ କାମ କରାଉଥିଲେ। ସୌମ୍ୟ ପ୍ରତିଦିନ ତାଙ୍କ ବଡି ମସାଜ କରୁଥିଲେ। ସେବା ନ କଲେ ଆଇପିଏସ୍ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ସରକାର ଗଙ୍ଗୱାରଙ୍କୁ ବଦଳି କରିଥିଲେ। ଗତ ୨୬ରେ କ୍ରାଇମବ୍ରାଞ୍ଚ ଡିଜି ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ଚିଠି ଲେଖି ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ। ଅଭିଯୋଗ ଆଧାରରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପାଇବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା କ’ଣ ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଗତ ମେ ୭ରେ ଗାଡ଼ି ଦୁର୍ଘଟଣା ଓ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଣି ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସୌମ୍ୟଙ୍କ ପରିବାର ପ୍ରଥମରୁ ଅଭିଯୋଗ କହିଥିଲେ।
Powered by Froala Editor