୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ
ଭୁବନେଶ୍ବର : ନୀଳ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ (ନିଷେଧ, ନିୟନ୍ତ୍ରଣ) ବିଧେୟକ ୨୦୨୬ (ଓମ୍ଫ୍ରା)କୁ ଅନୁମୋଦନ କରିଛନ୍ତି। ପୂର୍ବରୁ ପ୍ରଚଳିତ ଆଇନରେ ସଂଶୋଧନ କରାଯାଇଛି। ନୂଆ ଆଇନ ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ କେଜ୍ କଲଚର୍, ସିୱିଡ୍ କଲ୍ଚର, ମେରିକଲ୍ଚର କାର୍ଯ୍ୟକଳାପ, ସାମୁଦ୍ରିକ ଜଳଭାଗର ପୁନରୁଦ୍ଧାର ପାଇଁ କୃତ୍ରିମ ପ୍ରବାଳର ବ୍ୟବହାର ଏବଂ ଅନ୍ୟ ଲାଭଦାୟୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ। ସେହିପରି ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ୩୫୮ଟି ଅନାବଶ୍ୟକ ଆଇନର ଉଚ୍ଛେଦ ଏବଂ ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ ୧୦୩୨ଟି ନୂତନ ପଦ ସୃଷ୍ଟିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ଆଇନ ବିଭାଗର ୩ଟି ଓ ଶକ୍ତି ବିଭାଗର ୨ଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପନ କରାଯାଇଥିଲା। କ୍ୟାବିନେଟ ଅନୁମୋଦନ ଲାଭ କରିଥିବା ଓମ୍ଫ୍ରା ଅନୁସାରେ ଓଡ଼ିଶା ଉପକୂଳରେ ଥିବା ମାଛଧରା ବନ୍ଦର ଏବଂ ଫିସ୍ ଲାଣ୍ଡିଂ ସେଣ୍ଟରଗୁଡ଼ିକର ଆଧୁନିକୀକରଣ ତଥା ସ୍ମାର୍ଟ- ଗ୍ରିନ୍ ଭିତ୍ତିଭୂମି ବିକାଶ ସମ୍ଭବ ହେବ। ଫଳରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ତ୍ବରାନ୍ବିତ ହେବା ସହ ନିଯୁକ୍ତି ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ବଳ ମିଳିବ। ୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ଦିଗରେ ଏହି ଆଇନ ସହାୟକ ହେବ ବୋଲି କୁହାଯାଇଛି। ୧୯୭୪ରୁ ୨୦୨୫ ମଧ୍ୟରେ ପ୍ରଣୀତ ୩୫୮ଟି ଅଧିନିୟମ ଏବେ ଅନାବଶ୍ୟକ ହୋଇଥିବାରୁ ସେଗୁଡ଼ିକର ବିଲୋପ ପାଇଁ ଆଇନ ବିଭାଗ ଚିହ୍ନଟ କରିଥିଲା। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ଆଇନ ବିଭାଗ ପକ୍ଷରୁ ଆଗତ ଅନ୍ୟ ଏକ ପ୍ରସ୍ତାବକ୍ରମେ ଓଡ଼ିଶା ଅମଲା ସେବା ଅଧୀନରେ ୬୩୦ କନିଷ୍ଠ ସହାୟକ, ୨୪୯ ବରିଷ୍ଠ ସହାୟକ, ୧୦୦ଟି ସହକାରୀ ଉପ ବିଭାଗ ଅଧିକାରୀ ଏବଂ ୫୩ଟି ଉପ ବିଭାଗ ଅଧିକାରୀ ପଦ ସୃଷ୍ଟି କରାଯିବ। ଅପରପକ୍ଷେ ଶକ୍ତି ବିଭାଗର ପ୍ରସ୍ତାବ ଅନୁସାରେ ଓଡ଼ିଶା ତାପଜ ନୀତି ୨୦୦୮କୁ ଅଧିକ ସଶକ୍ତ କରାଯାଇଛି। ତାପଜ ଶକ୍ତି କେନ୍ଦ୍ରରୁ ଉତ୍ପାଦିତ ଶକ୍ତିର ୫ ପ୍ରତିଶତ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରାଯିବା ସହ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଅପରପକ୍ଷେ ଓଡ଼ିଶା ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା ବର୍ଗର ବିଭିନ୍ନ ପଦରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ପରିବର୍ତ୍ତିତ ନିୟମକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିସହ ପାରାଦ୍ବୀପ (ଏରସମା) ଠାରେ ୪୦୦/୨୨୦/୩୩ କେଭି ଗ୍ରୀଡ଼ ସବ୍ ଷ୍ଟେସନ୍ ସ୍ଥାପନ ପାଇଁ ୮୫୪.୨୪ କୋଟି ଟଙ୍କା ବ୍ୟୟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ ୧୯୭୯କୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ ୨୦୨୬ ନାମକ ଏକ ନୂତନ ଅଧିସୂଚନାକୁ ଅନୁମୋଦନ ପ୍ରଦାନ କରିଛନ୍ତି।
Powered by Froala Editor