ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ଗଞ୍ଜେଇ ଟାଣୁଥିଲା
ଭୋପାଳର ତ୍ବିଷା ଶର୍ମାଙ୍କ ମୃତ୍ୟୁକୁ କେନ୍ଦ୍ର କରି ମିଳଥିବା ନୂଆ ନୂଆ ତଥ୍ୟ ଏବେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଛି। ଭୋପାଳ ଏମ୍ସର ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ, ଯେଉଁ ବେଲ୍ଟକୁ ତ୍ବିଷାଙ୍କ ଆତ୍ମହତ୍ୟାର ମାଧ୍ୟମ ବୋଲି କୁହାଯାଉଛି, ପୋଷ୍ଟମର୍ଟମ୍ ସମୟରେ ପୁଲିସ୍ ସେହି ବେଲ୍ଟକୁ ଡାକ୍ତରମାନଙ୍କ ପାଖକୁ ନେଇ ନ ଥିଲା। ଫଳରେ ଡାକ୍ତରମାନେ ଏହା ନିଶ୍ଚିତ କରିପାରିଲେ ନାହିଁ ଯେ ତ୍ବିଷାଙ୍କ ଗଳାରେ ଥିବା ଚିହ୍ନ ସେହି ବେଲ୍ଟର କି ନୁହେଁ।
ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଓ ମିସରୋଦ ଅଞ୍ଚଳର ସହାୟକ ପୁଲିସ୍ କମିସନର ରଜନୀଶ କଶ୍ୟପ ଏହି ଗୁରୁତର ତ୍ରୁଟିକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ପରେ ଏହି ବେଲ୍ଟକୁ ଫରେନ୍ସିକ୍ ସାଇନ୍ସ ଲାବରେଟୋରି ଟିମ୍କୁ ହସ୍ତାନ୍ତର କରାଯାଇ ଭୋପାଳ ଏମ୍ସରେ ଜମା କରାଯାଇଥିଲା।
ତ୍ବିଷାଙ୍କ ମୃତଦେହ ଭୋପାଳର କଟରା ହିଲ୍ସସ୍ଥିତ ଶ୍ୱଶୁରଘରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। କୁହାଯାଉଛି ଯେ ସେହି ଅବସ୍ଥାରେ ଦେଖିବା ପରେ ତାଙ୍କ ଶାଶୁ, ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହ ଓ ସ୍ୱାମୀ ସମର୍ଥ ତାଙ୍କୁ ହସ୍ପିଟାଲ୍କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୂରା ପରିବାର ଶାଶୁଘର ଲୋକଙ୍କୁ କାଠଗଡ଼ାକୁ ଟାଣୁଥିବା ବେଳେ ତ୍ବିଶାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଶାଶୁ ଗିରିବାଳା ସିଂହ। ସେ କହିଛନ୍ତି, ତ୍ବିଶାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା। ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ଗର୍ଭବତୀ ହେବା ପରେ ସେ ନିଜକୁ ନିଜେ ପିଟୁଥିଲେ। ତ୍ବିଶା ଡ୍ରଗ୍ସ ଏବଂ ଗଞ୍ଜେଇ ନେଉଥିଲେ।
ଏପରିକି ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପ୍ରଚୁର ପରିମାଣରେ ଗଞ୍ଜେଇ ଟାଣୁଥିଲେ। ନିଶା ନମିଳିଲେ ତାଙ୍କ ହାତ ଥରୁଥିଲା ବୋଲି ଅଭିଯୋଗ ଆଣିଛନ୍ତି ଶାଶୁ। ତେବେ ଜେଲରୁ ବଂଚିବା ପାଇଁ ତାଙ୍କ ଝିଅଙ୍କ ଚରିତ୍ର ସଂହାର କରାଯାଉଥିବା କହିଛନ୍ତି ତ୍ବିଶାଙ୍କ ବାପା।
ପୁଲିସ ଘରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏବଂ କେଉଁ ପରିସ୍ଥିତିରେ ମୃତଦେହକୁ ହସ୍ପିଟାଲ୍କୁ ନିଆଯାଇଥିଲା, ତାହାର ତଦନ୍ତ ଚାଲିଛି। ମେ ୧୨ ତାରିଖ। ସକାଳ ପ୍ରାୟ ୭ଟା ୨୦। ୩୩ ବର୍ଷୀୟା ତ୍ବିଶା ଏକାକୀ ଛାତ ଉପରକୁ ଯାଉଛନ୍ତି। ହାତରେ ହେଡଫୋନ୍ ଧରି ସ୍ବାଭାବିକ ଭାବେ ଚଢୁଛନ୍ତି ସିଡି।
ଏହାର ପ୍ରାୟ ଘଣ୍ଟାଏ ପରେ ସ୍ୱାମୀ ସମର୍ଥ ସିଂହ, ଜଣେ ଚାକର ଏବଂ ପଡ଼ୋଶୀ ତ୍ବିଶାଙ୍କ ଚେତାଶୂନ୍ୟ ଶରୀରକୁ ତଳକୁ ଆଣି CPR ଦେବାକୁ ଚେଷ୍ଟା କରୁଛନ୍ତି। ଏହି ସିସିଟିଭି ଭିଡିଓ ଏବେ ତଦନ୍ତ କରୁଥିବା ଏସଆଇଟି ପାଇଁ ବଡ଼ ସୁରାକ ହେବ ବୋଲି କୁହାଯାଉଛି।
Powered by Froala Editor