୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି, ଏହି ଜିଲ୍ଲାରେ ବର୍ଷିବ ନିଆଁ
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ପାରଦ ଉପରମୁହାଁ ହୋଇ ୪୬ ଡିଗ୍ରୀ ଛୁଇଁଲାଣି। ଆଉ କିଛି ଅଞ୍ଚଳରେ ଦିନ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। ପୂର୍ବାହ୍ଣ ୧୦ଟା ବାଜିଲେ ପଶ୍ଚିମାଞ୍ଚଳକୁ ଗ୍ରୀଷ୍ମଲହରୀ ମାଡ଼ି ଆସୁଛି। ତେବେ ଉପକୂଳବର୍ତ୍ତୀ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି।
ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ସାରା ରାଜ୍ୟରେ ଝାରସୁଗୁଡ଼ା ଉତ୍ତପ୍ତ ସହରରେ ପରିଣତ ହୋଇଛି। ଦେଶର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ୧୧ତମ ସ୍ଥାନରେ ରହିଛି। ବୁଧବାର ସମ୍ବଲପୁରରେ ପାରଦ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫ ଡିଗ୍ରୀ ରହିଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ।
ପଶ୍ଚିମ ଜିଲାଗୁଡ଼ିକରେ ନିଆଁ ବର୍ଷିବ। ଝାରସୁୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗିରରେ ପାରଦ ୪୬ ଡିଗ୍ରୀ ଟପିବ। ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ୪୦ ଡିଗ୍ରୀ ଅତିକ୍ରମ ରହିବ। ବୁଧବାର ତାଳଚେରରେ ପାରଦ ୪୩.୮ ଡିଗ୍ରୀ ଥିବାବେଳେ ବଲାଙ୍ଗିରରେ ୪୩.୩, ଟିଟିଲାଗଡ଼ରେ ୪୩.୫, ସୁବର୍ଣ୍ଣପୁରରେ ୪୩.୯, ବରଗଡ଼ରେ ୪୩.୮, ଅନୁଗୋଳରେ ୪୨.୧, ସୁନ୍ଦରଗଡ଼ରେ ୪୨.୮, ଭବାନୀପାଟଣାରେ ୪୨.୮, ନୟାଗଡ଼ରେ ୪୨, ନୂଆପଡ଼ା ଓ ଖୋରଧାରେ ୪୧.୫, ରାଉରକେଲାରେ ୪୧.୩, ବାରିପଦାରେ ୪୦.୪, କେନ୍ଦୁଝରରେ ୪୦.୭, ମାଲକାନଗିରି ଓ ଭଦ୍ରକରେ ୪୦, ଯାଜପୁରରେ ୪୦.୪, କେନ୍ଦ୍ରାପଡ଼ାରେ ୪୦.୨, କେନ୍ଦୁଝରରେ ୪୦.୭, ଭୁବନେଶ୍ବରରେ ୩୬.୮ ଓ କଟକରେ ୩୭.୨ ଡିଗ୍ରୀ ରେକର୍ଡ ହୋଇଛି। କିଛି ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇବ। ଉପକୂଳରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ରହିବାର ସମ୍ଭାବନା ଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଏବଂ ବଲାଙ୍ଗିର ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇଟି ଜିଲାରେ ରାତି ତାପମାତ୍ରା ବୃଦ୍ଧି ପାଇପାେର। ସେହିପରି ଭଦ୍ରକ, ଯାଜପୁର, ଝାରସୁୁଗୁଡ଼ା, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ ଜିଲାକୁ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟପଟେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋରଧା ଜିଲାକୁ ପ୍ରଚଣ୍ଡ ଗରମ ଏବଂ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପାଇଁ ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
Powered by Froala Editor