ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ
ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ପ୍ରଫେସର ଓ ଚିନ୍-କଳା, ସଂଯୋଗ ଓ ଭାରତୀୟ ଅଧ୍ୟୟନ ବିଭାଗ ତଥା ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ. ବିଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟିକ ଡ. ରମେଶ ପ୍ରସାଦ ପାଣିଗ୍ରାହୀ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗବେଷକ ଗୁରୁ ଶ୍ରୀ କେଶବ ଚନ୍ଦ୍ର ରାଉତ, ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରଣତି ମହାନ୍ତିଙ୍କୁ "ଯାତ୍ରା ସନ୍ନ୍ୟାସୀ ପବିତ୍ର ମୋହନ ସାହାନୀ ସ୍ମୃତି ସମ୍ମାନ-୨୦୨୨" ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ତଥା ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାସ ସଭା ପରିଚାଳନା କରିଥିଲେ । ପାରମ୍ପରିକ ଉଦ୍ଘାଟନୀ ପର୍ବ ପରେ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ସଂରଚିତ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟକୁ ନୃତ୍ୟାଞ୍ଜଳୟର ଅଧ୍ୟକ୍ଷା ସ୍ଵାଗତିକା ସାହାନୀଙ୍କ ପରିଚାଳନାରେ ଛାତ୍ରୀମାନେ ଦଳଗତ ଭାବେ ପ୍ରଦର୍ଶନ କରିଥିଲେ । ଏହାସହ ସମ୍ମାନିତ ଅତିଥି କଳାକାର ଶ୍ରୀମତୀ ପ୍ରଣତି ମହାନ୍ତିଙ୍କ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା ।
ଦ୍ଵିତୀୟ ପର୍ଯ୍ୟାୟରେ ନୃତ୍ୟାଞ୍ଜଳୟର ନୂତନ ପ୍ରସ୍ତୁତିରେ ଅଭିନେତା ଓ ନିର୍ଦ୍ଦେଶକ ଚୌଧୁରୀ ସତ୍ୟବ୍ରତ ଦାସ (ଲିପୁନ୍)ଙ୍କ ନିର୍ଦ୍ଦେଶନାରେ ହାସ୍ୟରସାତ୍ମକ ନାଟକ "କଞ୍ଜୁସ କପିଳାର କଟେରୀ ପାଲା" ପ୍ରଦର୍ଶିତ ହୋଇଥିଲା । ଏହି ନାଟକର ମୁଖ୍ୟ ଚରିତ୍ରରେ ହାସ୍ୟାଭିନେତା ପ୍ରଜ୍ଞା ଓ ସବିତା ଅଭିନୟ କରିଥିବାବେଳେ ସହ-କଳାକାର ଭାବେ ନିରଞ୍ଜନ, କୈଳାସ, ସୁଧାଂଶୁ, ବିଶ୍ଵ, ଅଙ୍କିତା, ରାଜେନ୍ଦ୍ର, ଜୟାନନ୍ଦ, ବବ୍ଲି, ଅମିତ, ନିରାକାର ଏବଂ ଶିଶୁ କଳାକାର ଶ୍ରୀହାନ ଓ ପ୍ରତୀକ୍ଷା ଅଭିନୟ କରିଥିଲେ । ଶେଷ ପର୍ଯ୍ୟାୟରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଦେବା ପ୍ରସାଦ ମିଶ୍ର ଆଲୋକ ସମ୍ପାଦନା କରିଥିଲେ । ଯୁବ ଶିଳ୍ପୀ ଓ ଲୁକ୍କାୟିତ ପ୍ରତିଭାମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି ଉତ୍ସବର ମୁଖ୍ୟ ଆଭିମୁଖ୍ୟ ଥିଲା । ସମ୍ପୂର୍ଣ୍ଣ ଉତ୍ସବକୁ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ପ୍ରତିବର୍ଷ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ନାଟକକୁ "ନୃତ୍ୟାଞ୍ଜଳୟ ଉତ୍ସବ" ମାଧ୍ୟମରେ ଅଧିକ ଲୋକାଭିମୁଖୀ କରିବା ସହ ସମାଜରେ କଳାକୁ ଆଗକୁ ବଢ଼ାଇବାର ଏହି ଅନନ୍ୟ ପ୍ରୟାସ ଜାରି ରହିବ ବୋଲି ନୃତ୍ୟାଞ୍ଜଳୟର ନିର୍ଦ୍ଦେଶକ ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାସ (ଲିପୁନ୍) ଏବଂ ତାଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ସ୍ଵାଗତିକା ସାହାନୀ ସୂଚନା ଦେଇଥିଲେ । ସେମାନେ ଉତ୍ସବର ସମସ୍ତ ଅତିଥି, କର୍ମକର୍ତ୍ତା ଓ ପ୍ରାୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
Powered by Froala Editor