ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ
ଭାରତର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬ ବର୍ତ୍ତମାନ ଏକ ବଡ଼ ଦୁର୍ନୀତି ଓ ଜାଲିଆତି କବଳରେ ଛନ୍ଦି ହୋଇଯାଇଛି। ମେ ୩ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ବାତିଲ କରିବା ପରେ, ଏହି ଘଟଣା ପଛରେ ଥିବା ଏକ ବିରାଟ ଆନ୍ତଃରାଜ୍ୟ ଅପରାଧିକ ଗୋଷ୍ଠୀର ପର୍ଦାଫାସ ହୋଇଛି। ପ୍ରଶ୍ନପତ୍ର ଲିକ୍ ପଛରେ ଏକ ସୁସଂଗଠିତ ନେଟ୍ଓ୍ବର୍କ କାମ କରୁଥିବା ଏବଂ ଏହାର ଚେର ମହାରାଷ୍ଟ୍ର, କେରଳ, ହରିୟାଣା, ବିହାର, ରାଜସ୍ଥାନ ଓ ଉତ୍ତରାଖଣ୍ଡକୁ ବ୍ୟାପିଥିବା ତଦନ୍ତକାରୀ ସଂସ୍ଥାମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ନେଟ୍ଓ୍ବର୍କରେ ପ୍ରଶ୍ନପତ୍ର ସମାଧାନକାରୀ, ନକଲି ପରୀକ୍ଷାର୍ଥୀ, କୋଚିଂ ସେଣ୍ଟର କାଉନ୍ସିଲର ଏବଂ ଏପରିକି ଏମ୍ବିବିଏସ୍ ଛାତ୍ରୀଛାତ୍ର ରହିଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଭୋପାଳର ଜଣେ ମେଡିକାଲ୍ ଛାତ୍ର ଶୁଭମ ଖୈରନାରଙ୍କୁ ନାଶିକରୁ ଗିରଫ କରାଯାଇଛି। ଶୁଭମଙ୍କ ପାଖରୁ ମିଳିଥିବା ହାତଲେଖା ‘ସମ୍ଭାବ୍ୟ ପେପର୍’କୁ ଯେତେବେଳେ ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଯାଞ୍ଚ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି କାଗଜରେ ୪୧୦ଟି ପ୍ରଶ୍ନ ସହ ସେଗୁଡ଼ିକର ଉତ୍ତର ମଧ୍ୟ ରହିଥିଲା। ସବୁଠାରୁ ବଡ଼ କଥା ହେଉଛି, ଅସଲି ପରୀକ୍ଷା ପେପରର ୧୫୦ଟି ପ୍ରଶ୍ନ ମଧ୍ୟରୁ ୧୨୦ଟି ପ୍ରଶ୍ନ (ଜୀବବିଜ୍ଞାନ ଓ ରସାୟନ ବିଜ୍ଞାନ) ଏହି ଲିକ୍ ହୋଇଥିବା କାଗଜ ସହ ଅବିକଳ ମିଶି ଯାଇଥିଲା।
ପରୀକ୍ଷା ଦିନ ବିହାରର ରାଜଗିରରେ ପୋଲିସ ଗାଡ଼ି ଯାଞ୍ଚ କଲାବେଳେ ୨ଟି କାର୍କୁ ଧରିଥିଲା। ଗୋଟିଏ କାର୍କୁ ଜଣେ ଏମ୍ବିବିଏସ୍ ଛାତ୍ର ଚଳାଉଥିବାବେଳେ ସେଥିରେ ବିପୁଳ ପରିମାଣର ନଗଦ ଟଙ୍କା ରହିଥିଲା। ସେମାନଙ୍କ ଫୋନ୍ ଚେକ୍ କରିବାରୁ ଏକାଧିକ ଆଡମିଟ୍ କାର୍ଡ ମିଳିଥିଲା। କାର୍ରେ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିଲା।
Powered by Froala Editor