୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କ ୩୮ ବର୍ଷ ବୟସରେ ଲକ୍ଷ୍ନୌରେ ତାଙ୍କର ପରଲୋକ ହୋଇଛି। ପ୍ରତୀକ ଯାଦବଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଲକ୍ଷ୍ନୌର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ରିପୋର୍ଟ ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ହୋଇ ନ ଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରତୀକ ଯାଦବ କେଉଁ ନିର୍ଦ୍ଦିଷ୍ଟ ରୋଗରେ ପୀଡିତ ଥିଲେ ତାହା ଅଜଣା ରହିଛି।
ପ୍ରତୀକ ଯାଦବ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ସାନ ପୁଅ ଥିଲେ। ସେ ଅଖିଳେଶ ଯାଦବଙ୍କ ସାବତ ଭାଇ ଥିଲେ। ସେ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ। କିନ୍ତୁ ନିକଟରେ ଦମ୍ପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଯଦିଓ ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ରହୁଥିଲେ, କିନ୍ତୁ କୁହାଯାଉଛି ଯେ ପାରିବାରିକ କଳହ ଜାରି ରହିଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିଲା। ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତୀକ ଯାଦବଙ୍କ ମୃତ୍ୟୁ ଖବର ଯାଦବ ପରିବାର ଏବଂ ସମାଜବାଦୀ ପାର୍ଟି ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ପ୍ରତୀକ ଯାଦବ ଲକ୍ଷ୍ନୌରେ ଅବସ୍ଥିତ ‘ଫିଟନେସ ପ୍ଲାନେଟ’ ନାମକ ଏକ ସଂଗଠନର ମାଲିକ ଥିଲେ ଏବଂ ‘ଜୀବ ଆଶ୍ରୟ’ ନାମକ ଏକ ସଂଗଠନ ମଧ୍ୟ ଚଳାଉଥିଲେ। ଏହି ସଂଗଠନ ବୁଲା କୁକୁରମାନଙ୍କର ଚିକିତ୍ସା, ଯତ୍ନ, ଖାଦ୍ୟ ଏବଂ ଉଦ୍ଧାର ପାଇଁ ଉତ୍ସର୍ଗୀକୃତ। ପ୍ରତୀକ ଏହି କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଥିଲେ ଏବଂ ଶାରୀରିକ ସୁସ୍ଥତା ଉପରେ ଜୋର ଦେଇଥିଲେ।
Powered by Froala Editor