ଅଶାନ୍ତ ହୋଇପଡିଛି ରାୟଗଡା ସହର
ରାୟଗଡା : ଅଶାନ୍ତ ହୋଇପଡିଛି ରାୟଗଡା ସହର । ଗୁଳି କରି ଜଣେ ଯୁବକକୁ ଆହତ କରିବା ପରେ ଅପହରଣ କରିନେଇ ପରବର୍ତ୍ତୀ ସମୟରେ ହତ୍ୟା କରି ମୃତଦେହକୁ ନାଗାବଳୀ ନଦୀକୂଳରେ ଫୋପାଡି ଦେବା ଘଟଣାକୁ କେନ୍ଦ୍ର କରି ସମଗ୍ର ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଆଜି ସକାଳ ୯ରୁ ଟାୟାର ଜାଳି ରାସ୍ତାରୋକ କରିବା ସହ ଥାନା ଘେରଉ କରିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଛି ।
ସୂଚନା ମୁତାବକ, ଦୁଇଜଣ ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରିଚକିଆ ଗାଡିରେ ଆଉ କିଛି ଯୁବକ ସହରର ଜନଗହଳିପୂର୍ଣ୍ଣ ଇନ୍ଦିରା ନଗର ତୃତୀୟ ଲାଇନରେ ରାୟଗଡା ଆମ୍ବେଦକର ନଗରର ହାଡିପା ନିଖିଲ ନାମରେ ଜଣେ ଯୁବକଙ୍କୁ ଅଟକାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ସହ ନିଖିଲଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନିଖିଲ ପ୍ରାଣ ଭୟରେ ଦୌଡିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ନିଖିଲ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବାକୁ ଉଦ୍ୟମ କରିବା ବେଳେ ପଛରେ ଗୋଡାଉଥିବା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ସହରର ରିଂ ରୋଡ ପଟେ ଚାଲି ଯାଇଥିଲେ । ପରେ ନିଖିଲଙ୍କୁ ହତ୍ୟା କରି ନଦୀକୂଳରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ପୁଅର ହତ୍ୟା ଘଟଣାରେ ସହରରେ ଆଉ ଏକ ଗ୍ୟାଙ୍ଗର ହାତ ରହିଥିବା ତାଙ୍କ ମାଆ ହାଡ଼ିପା ବାଲାମା ଅଭିଯୋଗ କରିଛନ୍ତି । ମୃତ ନିଖିଲର ପତ୍ନୀ ତିନି ମାସର ଗର୍ଭବତୀ । ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।
ସର୍ବଶେଷ ସୂଚନା ମୁତାବକ ମୃତ ନିଖିଲ ବନ୍ଧୁଗଁା ବ୍ଲକର ଆଲମଣ୍ଡା ଗଁାରେ କୁଆଡେ ଏକ ବଡ ଧରଣର ଚୋରିରେ ସମ୍ପୃକ୍ତ ଥିଲା । ଚୋରି ସମ୍ପର୍କରେ ରାୟଗଡାରେ ରହୁଥିବା ଏକ ଗୋଷ୍ଠୀ କୌଣସି ସୂତ୍ରରୁ ସୂଚନା ପାଇଥିଲା । ତାଠାରୁ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ । ହେଲେ ନିଖିଲ ସହ ସେମାନଙ୍କ ଯୁକ୍ତିତର୍କ ହେବାରୁ ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିବା କୁହାଯାଉଛି ।
Powered by Froala Editor