ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା
ସାବୁନ, ବିସ୍କୁଟ, ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟ ଏଫ୍ଏମ୍ସିଜି ଉତ୍ପାଦ ଦର ଉପର ମୁହାଁ ହେବାକୁ ଯାଉଛି । ଡାବର ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଭଳି କମ୍ପାନି ଦର ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । ଡାବର ଇଣ୍ଡିଆ କହିଛି ଯେ, ପ୍ୟାକେଜିଂ ସାମଗ୍ରୀ ଦର ବଢ଼ିଛି । ଇରାନ ଏବଂ ଆମେରିକା ଯୁଦ୍ଧ ଯୋଗୁ କଞ୍ଚାମାଲ ଦର ଉପର ମୁହାଁ ହୋଇଛି । ଯୁଦ୍ଧ ଯୋଗୁ ବିଭିନ୍ନ କ୍ଷେତ୍ରରେ କମ୍ପାନି ସେମାନଙ୍କ ଉତ୍ପାଦ ଦର ବୃଦ୍ଧି କରିଥିଲେ । ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡିଛି । ତେବେ ପୁଣି ଥରେ ଦର ବଢ଼ାଇବା ଲାଗି କମ୍ପାନି ଅଗ୍ରସର ହୋଇଛନ୍ତି ।
ଯୁଦ୍ଧ ନ ବନ୍ଦ ହେଲେ ଏଫ୍ଏମ୍ସିଜି କମ୍ପାନି ଗୁଡିକର କଞ୍ଚାମାଲ ଦର ବୃଦ୍ଧି ସହ ସାମଗ୍ରୀ ଉତ୍ପାଦନ ମହଙ୍ଗା ହେବ । ଫଳରେ ସେମାନେ ବାଧ୍ୟ ହୋଇ ଏହାର ଚାପ ଖାଉଟିଙ୍କ ଉପରେ ଦେବେ । ଗତ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୭୮% ମହଙ୍ଗା ହୋଇଛି । ଫଳରେ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ପଡ଼ିଛି ।
ଡାବର, ହିନ୍ଦୁସ୍ତାନ ୟୁନିଲିଭର ବାଦ ନେସ୍ଲେ, ଇଣ୍ଡିଆ, ମ୍ୟାରିକୋ, ଆଇଟିସି, ବ୍ରିଟିନିଆ ଏବଂ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟ ଭଳି କମ୍ପାନି ଗୁଡିକ ବର୍ତ୍ତମାନ ଆହ୍ୱାନପୂର୍ଣ୍ଣ ସ୍ଥିତିକୁ ପାର୍ କରିବା ଲାଗି ବିଶେଷ ପ୍ରସ୍ତୁତି କରୁଛନ୍ତି । ଡାବର ଇଣ୍ଡିଆର ଗ୍ଲୋବାଲ ସିଇଓ ମୋହିତ ମାଲ୍ହୋତ୍ରା କହିଛନ୍ତି, ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ କମ୍ପାନି ମୂଲ୍ୟ ବୃଦ୍ଧି କରିପାରେ । କମ୍ପାନି ପୂର୍ବରୁ ସାମଗ୍ରୀ ଦର ୪% ବଢ଼ାଇଥିଲା । ପଶ୍ଚିମ ଏସିଆରେ ସଙ୍କଟ କମ୍ପାନିଙ୍କ ଲାଗି ଚିନ୍ତାର କାରଣ ପାଲଟିଛି ।
Powered by Froala Editor