ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ
ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆଙ୍କୁ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ (ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ – VCAS) ଭାବେ ନିଯୁକ୍ତ କରାଯାଇଛି। ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କ ସ୍ଥାନରେ ଏୟାର ମାର୍ଶଲ ୱାଲିଆଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ‘ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍’ ଭାବରେ କାର୍ଯ୍ୟରତ ଅଛନ୍ତି।
ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆ ଜଣେ ଅତ୍ୟନ୍ତ କୁଶଳୀ ଫାଇଟର ପାଇଲଟ, ଯାହାଙ୍କ ପାଖରେ ୩୨୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଭରିବାର ଦୀର୍ଘ ଅଭିଜ୍ଞତା ରହିଛି। ନିଜର ପ୍ରାୟ ୪ ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଓ ଷ୍ଟାଫ୍ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଫ୍ରଣ୍ଟଲାଇନ୍ ମିଗ୍-୨୭ ସ୍କ୍ୱାଡ୍ରନ୍, TACDE (ଟ୍ୟାକ୍ଟିକ୍ସ ଆଣ୍ଡ ଏୟାର କମ୍ବ୍ୟାଟ୍ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ) ଏବଂ ଏୟାର ଫୋର୍ସ ଷ୍ଟେସନ୍ ବରେଲୀର କମାଣ୍ଡ ସମ୍ଭାଳିଛନ୍ତି। ନିଜ କ୍ୟାରିୟର ମଧ୍ୟରେ ସେ ମିଗ୍-୨୧, ମିଗ୍-୨୩, ମିଗ୍-୨୭, ଜାଗୁଆର ଏବଂ ସୁଖୋଇ Su-୩୦ MKI ଭଳି ଶକ୍ତିଶାଳୀ ଲଢ଼ୁଆ ବିମାନ ଉଡ଼ାଇଛନ୍ତି।
ପ୍ରକାଶଯୋଗ୍ୟ, ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ୩୧ ଅକ୍ଟୋବର ୨୦୨୬ରେ ବାୟୁସେନାର ୨୯ତମ ପ୍ରମୁଖ (ଚିଫ୍ ଅଫ୍ ଏୟାର ଷ୍ଟାଫ୍) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଫଳରେ ଏହି ନୂତନ ନିଯୁକ୍ତି ବାୟୁସେନାର ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Powered by Froala Editor