ଜିଲା କଂଗ୍ରେସ କମିଟି ପକ୍ଷରୁ କମିସନରେଟ ପୁଲିସ୍ ମୁଖ୍ୟାଳୟ ଘେରିବ କଂଗ୍ରେସ
ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ହତ୍ୟା ଘଟିବା ପ୍ରମାଣିତ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରିବର୍ତ୍ତେ ଆତ୍ମସମୀକ୍ଷା କରନ୍ତୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଶ୍ରୀ ଦାସ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ପରି ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଝାଲ୍ମୁଢ଼ି ଖାଇ ବଙ୍ଗ ବିଜୟ ଉତ୍ସବ ପାଳନ କରିବାରେ ମାତିଛନ୍ତି। ପୂର୍ବରୁ କୌଣସି ସରକାର ପୁଲିସକୁ ଏପରି ଦୁର୍ବଳ କରି ନଥିଲେ। ପୁଲିସର ସ୍ଥାଣୁତାକୁ ନେଇ ସୋମବାର ଖୋରଧା ଜିଲା କଂଗ୍ରେସ କମିଟି ପକ୍ଷରୁ କମିସନରେଟ ପୁଲିସ୍ ମୁଖ୍ୟାଳୟ (ପୁଲିସ୍ ସେବା ଭବନ) ଘେରଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ‘ଆଇନର ଶାସନ’ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଲକ୍ଷଲକ୍ଷ ଲୋକଙ୍କୁ ଧରି ଲୋକସେବା ଭବନକୁ ଧସେଇ ପଶିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
Powered by Froala Editor