୨୨ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗୁଥିଲେ କଏଦୀ, ମିଳିଲା ଜାମିନ
କଟକ: ଓଡ଼ିଶା ହାଇକୋର୍ଟଙ୍କ ଏକ ପୁରୁଣା ଅପିଲ୍ ଆଦେଶକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ବିବ୍ରତକର ବୋଲି କହିବା ସହ ଦୀର୍ଘ ୨୨ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଏବଂ ଜଷ୍ଟିସ୍ ଉଜ୍ଜ୍ବଲ ଭୂୟାଁ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।
ନବରଙ୍ଗପୁର ଜିଲାର ଅର୍ଜୁନ ଜାନୀଙ୍କୁ ୨୦୦୪ ମସିହାରେ ଏକ ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ୨୦୦୬ ଅଗଷ୍ଟ ୨୫ ତାରିଖରେ ନବରଙ୍ଗପୁର ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେବେଠାରୁ ସେ କୋରାପୁଟ ସର୍କଲ ଜେଲ୍ରେ ବନ୍ଦୀ ଅଛନ୍ତି। ଅର୍ଜୁନ ଜାନି ଜେଲ୍ରୁ ନିଜର ଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଅପିଲ୍ କରିଥିଲେ, କିନ୍ତୁ ଏଥିରେ ୩୧୫୭ ଦିନ ବିଳମ୍ବ ହୋଇଥିଲା। ୨୦୧୬ ମସିହାରେ ହାଇକୋର୍ଟ କୌଣସି ଯଥାର୍ଥ କାରଣ ନାହିଁ କହି ଏହି ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ଏହାକୁ ଏକ ‘ବିବ୍ରତକର’ ଆଦେଶ ବୋଲି ଅଭିହିତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ କଏଦୀ ଜେଲ୍ରୁ ଅପିଲ୍ କରୁଥିବା ବେଳେ ହାଇକୋର୍ଟ ଏକ ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ଥିଲା। ଅନ୍ୟପକ୍ଷରେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ପକ୍ଷରୁ ଦାଖଲ ଆଚରଣପତ୍ରରେ କୁହାଯାଇଛି ଯେ କଏଦୀଙ୍କ ଆଚରଣ ସନ୍ତୋଷଜନକ ରହିଛି। ଅର୍ଜୁନଙ୍କୁ ୧୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ କୋରାପୁଟ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ଯେ ଅର୍ଜୁନଙ୍କୁ ତାଙ୍କର ଦଣ୍ଡ କୋହଳ ପାଇଁ ଆବେଦନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ।
Powered by Froala Editor