ସହରାଞ୍ଚଳ ଆବାସ ନିର୍ମାଣରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍ଏୱାଇ-ୟୁ ୨.୦) ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୨୪ ସେପ୍ଟେମ୍ବରରେ ପିଏମ୍ଏୱାଇ-ୟୁ ୨.୦ର ଶୁଭାରମ୍ଭ ପରଠାରୁ ସହରାଞ୍ଚଳର ହିତାଧିକାରୀଙ୍କୁ ସୁଲଭ ଓ ଗୁଣାତ୍ମକ ବାସଗୃହ ଯୋଗାଇବାରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ପିଏମ୍ଏୱାଇ-ୟୁ ୨.୦ ଅଧୀନରେ ଓଡ଼ିଶାରେ ମୋଟ ୨୪,୬୨୫ ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୨୩,୪୬୪ ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ୨୦୨୬, ମେ’ ୫ ସୁଦ୍ଧା ୩,୧୩୪ ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨,୦୦୮ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଘରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି।
Powered by Froala Editor