ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା କମ୍ ଛାତ୍ରଛାତ୍ରୀ ଦେଇଛନ୍ତି ନିଟ୍- ୟୁଜି ପରୀକ୍ଷା
ଭୁବନେଶ୍ବର: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ନିଟ୍- ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ନିଟ୍- ୟୁଜି ପାଇଁ ମୋଟ ୨୨.୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୯୬.୯% ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ଓଡ଼ିଶାରୁ ପ୍ରାୟ ୫୫ ହଜାର ଛାତ୍ରଛାତ୍ରୀ ନିଟ୍- ୟୁଜି ପରୀକ୍ଷା ଦେଇଛନ୍ତି। ତେବେ ଏହି ସଂଖ୍ୟା ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା କମ୍ ବୋଲି ଜଣାପଡ଼ିଛି। ୨୦୨୫ ବର୍ଷରେ ରାଜ୍ୟରୁ ୫୯, ୨୩୮ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୩୧, ୬୭୩ ଛାତ୍ରଛାତ୍ରୀ ରାଙ୍କ ପାଇଥିଲେ। ୨୦୨୪ ବର୍ଷରେ ୬୪, ୩୨୫ ବିଦ୍ୟାର୍ଥୀ ନିଟ୍- ୟୁଜି ଦେଇଥିବା ବେଳେ ୩୨, ୬୧୭ ପିଲା ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ରାଙ୍କ ପାଇଥିଲେ। ଅନୁରୂପ ଭାବେ ୨୦୨୩ରେ ରାଜ୍ୟରୁ ୫୫, ୮୬୬ ଛାତ୍ରଛାତ୍ରୀ ନିଟ୍- ୟୁଜି ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୨୮, ୩୩୦ ବିଦ୍ୟାର୍ଥୀଙ୍କୁ ରାଙ୍କ ମିଳିଥିଲା। ସେହିପରି ଚଳିତ ବର୍ଷ ମୋଟ ପଞ୍ଜିକୃତ ୨୨.୭ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧.୪% ୪ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ବିହାରରୁ ବୋଲି ଜଣାପଡ଼ିଛି। ଏହି ୪ଟି ରାଜ୍ୟରୁ ସର୍ବାଧିକ ପିଲା ନିଟ୍- ୟୁଜି ନିମନ୍ତେ ପଞ୍ଜୀକରଣ କରିଥିଲେ। ଉତ୍ତରପ୍ରଦେଶରେ ସର୍ବାଧିକ ୩.୬ ଲକ୍ଷ ଛାତ୍ରଛାତ୍ରୀ ନିଟ୍- ୟୁଜି ନିମନ୍ତେ ପଞ୍ଜୀକରଣ କରିଥିବା ବେଳେ ମହାରାଷ୍ଟ୍ରରେ ୨.୨ଲକ୍ଷ, ରାଜସ୍ଥାନରେ ୨ଲକ୍ଷ, ବିହାରରେ ୧.୫ ଲକ୍ଷ, ତାମିଲନାଡ଼ୁରେ ୧.୪ ଲକ୍ଷ, ମଧ୍ୟପ୍ରଦେଶରେ ୧.୨ ଲକ୍ଷ, କେରଳରେ ୧.୧ ଲକ୍ଷ ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ୧ ଲକ୍ଷ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ନିଟ୍- ୟୁଜି ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରତିଶତ ଦେଖିଲେ ଗୁଜରାଟରେ ସର୍ବାଧିକ ୯୮.୧% ଥିବାବେଳେ ପୁଡୁଚେରୀରେ ୯୮%, ରାଜସ୍ଥାନରେ ୯୭.୯%, ଉତ୍ତର ପ୍ରଦେଶରେ ୯୭.୫%, ମହାରାଷ୍ଟ୍ରରେ ୯୭.୪%, ଆସାମରେ ୯୫%, ତାମିଲନାଡ଼ୁରେ ୯୫.୯% ଏବଂ କେରଳରେ ସର୍ବନିମ୍ନ ୯୪.୪% ଅଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରୁ ପ୍ରାୟ ୫ ହଜାର ମଧ୍ୟରେ ଛାତ୍ରଛାତ୍ରୀ ନିଟ୍- ୟୁଜି ପରୀକ୍ଷା ଦେଇଥିବା କୁହାଯାଉଛି।
Powered by Froala Editor