ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’
ମଧ୍ୟପ୍ରଦେଶର ବରଗୀ ବନ୍ଧ ନିକଟରେ ଗୁରୁବାର ଘଟିଥିବା ଏକ ଭୟଙ୍କର ନୌକା ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ମୃତଦେହଟି ସେଠାରେ ଉପସ୍ଥିତ ଉଦ୍ଧାରକାରୀ ଦଳଙ୍କ ଆଖିରେ ଲୁହ ଆଣିଦେଇଛି । ପ୍ରବଳ ପବନ ଓ ଝଡ଼ ଯୋଗୁଁ ଏକ ପର୍ଯ୍ୟଟକ ନୌକା ନର୍ମଦା ନଦୀରେ ବୁଡ଼ିଯିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ଜଣେ ମହିଳା ଓ ତାଙ୍କର ଚାରି ବର୍ଷର ପୁଅର ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁ ପୂର୍ବରୁ ମା’ ଜଣକ ନିଜ ପୁଅକୁ ବଞ୍ଚାଇବା ପାଇଁ ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ଶବ ମିଳିବା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।
ଉଭୟ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ, କିନ୍ତୁ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ବି ମା' ପାଖରୁ ପିଲାକୁ ଅଲଗା କରିପାରିନଥିଲା । ଶେଷ ନିଶ୍ୱାସ ଯାଏ ପିଲାକୁ ଜାବୁଡ଼ି ଧରିଥିଲା ମା' ।
ଏହି ଦୁର୍ଘଟଣାରୁ ବଞ୍ଚି ଫେରିଥିବା ସୟଦ ରିୟାଜ ହୁସେନ୍ ନିଜର ଭୟାନକ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଯେ, ମାତ୍ର କେଇ ସେକେଣ୍ଡ ମଧ୍ୟରେ ପାଣି ନୌକା ଭିତରକୁ ପଶିଯାଇଥିଲା ଏବଂ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ସେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣି ମଧ୍ୟରେ ଫସି ରହିବା ପରେ ଚିତ୍କାର ଶୁଣି ଉଦ୍ଧାରକାରୀ ଦଳ ତାଙ୍କୁ ବଞ୍ଚାଇଥିଲେ। ତେବେ ତାଙ୍କ ପତ୍ନୀ, ଶାଶୁ ଓ ନାତି ଏବେ ବି ନିଖୋଜ ଅଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ, ମୃତ୍ୟୁ ପରେ ମଧ୍ୟ ପରସ୍ପରକୁ ଲାଗି ରହିଥିବା ଜଣେ ମା' ଏବଂ ତାଙ୍କ ପିଲାର ପ୍ରତିଛବି ଉଦ୍ଧାର ସ୍ଥଳରେ ଥିବା ଲୋକଙ୍କୁ କନ୍ଦାଇ ଦେଇଥିଲା ।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ନୌକାରେ ପ୍ରାୟ ୪୦ରୁ ଅଧିକ ପର୍ଯ୍ୟଟକ ଥିଲେ। ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ ଜଣ ଶିଶୁଙ୍କ ସମେତ ୯ ଜଣ ଏବେ ବି ନିଖୋଜ ଅଛନ୍ତି।
Powered by Froala Editor