ଖାଇକୁ ଖସିଲା ବସ୍, ୧୫ ମୃତ
ସୋମବାର ସକାଳେ ଜମ୍ମୁ-କାଶ୍ମୀର ରାମନଗର-ଉଧମପୁର ହାଇୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ଟି ନିୟନ୍ତ୍ରଣ ହରାଇ ପାହାଡ଼ ଉପରୁ ତଳକୁ ଖସିପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି। ଘଟଣା ପରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ପୋଲିସ, ସ୍ଥାନୀୟ ପ୍ରଶାସନ ଏବଂ ବାସିନ୍ଦାମାନେ ଏହି ପ୍ରୟାସରେ ସହାୟତା କରୁଛନ୍ତି। ଅନ୍ୟପକ୍ଷରେ, ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ବସ୍ଟି ରାମନଗରରୁ ଉଧମପୁର ଅଭିମୁଖେ ଯାଉଥିଲା । ତେବେ ହାଇୱେରେ ଥିବା କାନୋଟେ ଗ୍ରାମ ନିକଟରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଗାଡ଼ିଟି ସିଧା ପାହାଡ଼ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିତ୍କାର ଓ କାନ୍ଦବୋବାଳି ଶୁଣିବାକୁ ମିଳିଥିଲା ।
ସ୍ଥାନୀୟ ପ୍ରଶାସନ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଘଟଣାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହି ଦୁଃଖଦ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ, ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଦୁର୍ଘଟଣା ସମ୍ପର୍କରେ ତାଙ୍କର ସମବେଦନା ପ୍ରକାଶ କରିଛନ୍ତି।
Powered by Froala Editor