ପଶ୍ଚିମ ଓଡ଼ିଶାକୁ ମାଡ଼ି ଆସୁଛ ଗ୍ରୀଷ୍ମ ଲହରୀ, ୧୯ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର
ଭୁବନେଶ୍ୱର: ତତଲାଗଡ଼ ପାଲଟିଛି ଟିଟିଲାଗଡ଼। ମଙ୍ଗଳବାର ସେଠାରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ଟପିଥିବା ବେଳେ ବୁଧବାର ୪୨ଡିଗ୍ରୀ ପାରଦ ଛୁଇଁଛି। ଭବାନୀପାଟଣାରେ ଦିନ ତାପମାତ୍ରା ୪୧.୮ଡିଗ୍ରୀ ରହିଛି। ବଲାଙ୍ଗିର, ହୀରାକୁଦ ଏବଂ ସମ୍ବଲପୁରରେ ପାରଦ ୪୧ଡିଗ୍ରୀ ଲେଖାଏଁ ଥିବାବେଳେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରହିଛି। ତାଳଚେର, ବୌଦ୍ଧ ଏବଂ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତାପମାତ୍ରା ୪୦ଡିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ପୁଣି ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ଦେବଗଡ଼, କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାକୁ ମାଡ଼ି ଆସୁଛ ଗ୍ରୀଷ୍ମ ଲହରୀ। କିଛି ସ୍ଥାନରେ ତାତି ୪୫ଡିଗ୍ରୀରୁ କମିବ ନାହିଁ। ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ଝାରସୁଗୁଡ଼ାରେ ପାରଦ ୪୩ଡିଗ୍ରୀ ଟପିବାର ସମ୍ଭାବନା ରହିଛି। ୧୭ତାରିଖରୁ ସର୍ବାଧିକ ତାପମାତ୍ରା ଆହୁରି ବଢ଼ିବ। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଛତ୍ରପୁର, ଗୋପାଳପୁର ଆଦି କିଛି ସ୍ଥାନକୁ ଛାଡ଼ି ଦେଲେ ବାକି ସବୁଠି ଦିନ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିବ। ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବାର ସମ୍ଭାବନା କମ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତାପମାତ୍ରା ୪୦ଡିଗ୍ରୀ ତଳେ ରହିପାରେ। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଗ୍ରୀଷ୍ମ ଲହରୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ ଏବଂ ଗଜପତି ଜିଲାକୁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor