ପ୍ରାଥମିକ ଶିକ୍ଷକ ବଦଳି ପାଇଁ ବିଜ୍ଞପ୍ତି, ୧୫ରୁ ୩୦ ମଧ୍ୟରେ ଅନଲାଇନ ଆବେଦନ
ବଦଳି ପାଇଁ ଇଚ୍ଛୁକ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଏଥିସହ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକଙ୍କୁ କମ ଶିକ୍ଷକ ଥିବା ସ୍କୁଲକୁ ମଧ୍ୟ ବଦଳି କରାଯିବ । ଜିଲ୍ଲା ଅନ୍ତର୍ଗତ ବଦଳି ଓ ଅନ୍ୟ ଜିଲ୍ଲାକୁ(ଅନ୍ତଃ ଜିଲ୍ଲା) ବଦଳି କରାଯିବ ।
ଜୁଲାଇ ୧୮ ସୁଦ୍ଧା ବଦଳି ହୋଇଥିବା ଶିକ୍ଷକମାନେ ନିଜର କାର୍ଯ୍ୟସ୍ଥଳରେ ଯୋଗଦାନ ଦେବେ । କେଉଁ ସ୍କୁଲରେ କେତେ ଅଧିକ ବା କମ ଶିକ୍ଷକ ଅଛନ୍ତି, ତାର ତଥ୍ୟ ଓସେପାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏପ୍ରିଲ୍ ୧୫ ମଧ୍ୟରେ ଯୋଗାଇବେ । ଏକ କମିଟି ଗଠନ କରାଯାଇ ଏହି ଶିକ୍ଷକଙ୍କ ବଦଳି ତାଲିକା ପ୍ରସ୍ତୁତ କରାଯିବ । ମେ ୩୧ରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ବଦଳି ନିର୍ଦ୍ଦେଶନାମା ଜାରି କରିବେ । ଜୁନ୍ ୧୦ରେ ବଦଳିର ଚୂଡ଼ାନ୍ତ ତାଲିକା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓସେପାର ଏମ୍ଆଇଏସକୁ ପ୍ରଦାନ କରାଯିବ ।
ବିଜ୍ଞପ୍ତି ଅନୁଯାୟୀ, ୨୦ ତାରିଖ ମଧ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ ୟୁଏଏସ୍ ପୋର୍ଟାଲରେ ଶିକ୍ଷକଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବେ । ମେ ୧୦ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର ଯାଞ୍ଚ କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯିବ । ଅନ୍ତଃଜିଲ୍ଲା ବଦଳି ଆବେଦନ କରିଥିବା ଳିକ୍ଷକଙ୍କ ଆବେଦନ ପତ୍ରକୁ ମେ ୨୦ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ପଠାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବଦଳି ଆବେଦନ କରିଥିଲେ ମେ ୨୫ରୁ ୨୬ ତାରିଖ ଯାଏ ସେମାନଙ୍କୁ ମେଡିକାଲ ବୋର୍ଡକୁ ପଠାଯିବ । ଜୁନ୍ ୬ରେ ମେଡିକାଲ ବୋର୍ଡର ରିପୋର୍ଟ ଆସିବ । ଜୁନ୍ ୧୦ରୁ ୧୧ ମଧ୍ୟରେ ମେଡିକାଲ ସାର୍ଟିଫିକେଟ୍ ଅପଲୋଡ୍ ହେବ । ଜୁନ୍ ୧୭ରୁ ୧୯ ତାରିଖ ଯାଏ ବଦଳି ଆବେଦନର ଚଏସ୍ ଲକିଂ କରାଯିବ । ଜୁନ୍ ୨୯ରୁ ଜୁଲାଇ ୪ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ବଦଳି କମିଟି ଓ ରାଜ୍ୟସ୍ତରୀୟ ବଦଳି କମିଟିର ବୈଠକ ହେବ । ଜୁଲାଇ ୮ରୁ ୧୦ ତାରିଖ ମଧ୍ୟରେ ବଦଳି ନିର୍ଦ୍ଦେଶ ଜାରି କରାଯିବ ।
Powered by Froala Editor