ଆଇଏମ୍ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା
ଚଳିତ ବର୍ଷ ମୌସୁମୀ ବାୟୁ ସମ୍ପର୍କରେ ପାଣିପାଗ ବିଭାଗ ଏକ ବଡ଼ ସତର୍କତା ସୂଚନା ଜାରି କରିଛି। ଭାରତୀୟ ପାଣିପାଗ ବିଭାଗ (IMD) ମୌସୁମୀ ବାୟୁ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛି। IMD ପୂର୍ବାନୁମାନ କରିଛି ଯେ ୨୦୨୬6ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଅପେକ୍ଷା ଦୁର୍ବଳ ହୋଇପାରେ।
ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ସମ୍ପ୍ରତି ଦୁର୍ବଳ ଲା-ନିନା ସ୍ଥିତି ବଦଳି ସାଧାରଣ ସ୍ଥିତିକୁ ଆସୁଛି। ତେବେ ଜୁନ୍ ପରେ ଏଲ୍-ନିନୋ ବିକଶିତ ହୋଇପାରେ। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଇଲେ ଏଲ୍-ନିନୋ ସ୍ଥିତି ଉପୁଜିଥାଏ। ଫଳରେ ଦକ୍ଷିଣପୂର୍ବ ଏସିଆ ଏବଂ ବିଶ୍ୱର ଅନ୍ୟାନ୍ୟ ଭାଗରେ ଉତ୍ତପ୍ତ ଓ ଶୁଷ୍କ ପାଗ ଦେଖାଦିଏ। ଅଧିକାଂଶ ଏଲ୍-ନିନୋ ବର୍ଷରେ ଭାରତରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଛି ଏବଂ ବେଳେବେଳେ ଉତ୍କଟ ମରୁଡ଼ି ଦେଖାଦେବା ଫଳରେ ଫସଲ ନଷ୍ଟ ହୋଇଛି।
ତେବେ ମୌସୁମୀ ଋତୁର ପରବର୍ତ୍ତୀ ଭାଗରେ ଭାରତ ମହାସାଗରରେ ସକାରାତ୍ମକ ଦ୍ୱିଧ୍ରୁବୀୟ ସ୍ଥିତି ବିକଶିତ ହେବାକୁ ଥିବାରୁ ମୌସୁମୀ ପାଇଁ ସହାୟକ ହେବ ବୋଲି ମହାପାତ୍ର କହିଛନ୍ତି।
ବିଭାଗ ଅନୁଯାୟୀ, ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ବର୍ଷା ଲଙ୍ଗ ପିରିୟଡ ଆଭ (LPA) ର ୯୨% ହେବ ବୋଲି ଆଶା କରାଯାଉଛି, ଯାହା ସାଧାରଣଠାରୁ କମ୍। ପାଣିପାଗ ବିଭାଗ ମଧ୍ୟ ଏଲ୍ ନିନୋର ସମ୍ଭାବନା ପ୍ରକାଶ କରିଛି, ଯାହା ମୌସୁମୀ ଉପରେ ଚାପ ଆହୁରି ବୃଦ୍ଧି କରିପାରେ।
Powered by Froala Editor