ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ
ଚୌଦ୍ୱାର : ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ପରେ ଗିରଫ ହୋଇଥିବା ରାଜା ସାହାଣୀ (୩୯) ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା।ବୁଧବାର ଯାଜପୁର ଜିଲା ପାଣିକୋଇଲି ପୁଲିସ ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି। ୨୦୨୫ ଜାନୁଆରୀ ୪ରେ ରାଜା ସାହାଣୀ ଯାଜପୁର ଜିଲା ପାଣିକୋଇଲିରେ ଅଳଙ୍କାର ଲୁଟ୍ ଓ ଦୁଇଜଣଙ୍କୁ ହତ୍ୟା ଘଟଣାରେ ସେଠାକାର ପୁଲିସ ତାକୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ଚୌଦ୍ବାର ଜେଲରେ କିଛିଦିନ ରହିବା ପରେ ରାଜା ଓ ସହଯୋଗୀ ମଧୁକାନ୍ତ ରାଣା ଫେରାର ହୋଇଯାଇଥିଲେ। ଫେରାର ପରେ ରାଜା କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ପାଖାପାଖି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ୍ କରିଥିଲା। କର୍ଣ୍ଣାଟକ ପୁଲିସ ତଦନ୍ତ ବେଳେ ରାଜା ସହ ଏକାଧିକ ବ୍ୟକ୍ତି ସାମିଲ ଥିବା ଜାଣିବାକୁ ପାଇଥିଲା। ପୁଲିସ ରାଜାର ସହଯୋଗୀଙ୍କୁ ଗିରଫ କରିଥିବାବେଳେ ରାଜା ସମ୍ପର୍କରେ ଟେର ପାଇପାରୁନଥିଲା। ମଧୁକାନ୍ତ ଗିରଫ ହେବା ପରେ କର୍ଣ୍ଣାଟକ ପୁଲିସ ରାଜା ସମ୍ପର୍କରେ ତଥ୍ୟ ହାସଲ ପାଇଁ କମିଶନରେଟ ପୁଲିସର ସହଯୋଗ ଲୋଡ଼ିଥିଲା। ମଧୁକାନ୍ତକୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇ ଚୌଦ୍ବାର ଜେଲରେ ଜେରା କରିଥିଲା। ଗତ ମାସ ୧୮ରେ ମହୀଶୂର ପୁଲିସର ଦଳ ମଧ୍ୟ ମଧୁକାନ୍ତକୁ ଦୁଇଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା। ଜେରା ବେଳେ ପୁଲିସ ରାଜାର କାର୍ଯ୍ୟକଳାପ ଓ କିଛି ନିକଟତର ସାଥିଙ୍କ ଠିକଣା ହାସଲ କରିଥିଲା। ସେମାନଙ୍କ ଫୋନର ବାର୍ତ୍ତାଳାପ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ରାଜା ପୁଲିସ ନଜର ଏଡ଼ାଇବା ପାଇଁ ସ୍ଥାନ ପରିବର୍ତ୍ତନ କରୁଥିଲା। କଟକ ପୁଲିସ ଟିମ ଋଷିକେଶର ଏକ ହୋଟେଲରୁ ଗତ ୧ ତାରିଖରେ ରାଜାକୁ ଗିରଫ କରିଥିଲା।
Powered by Froala Editor