ଶେଷ ହେଲା ମାଟ୍ରିକ ପରୀକ୍ଷା ଖାତାଦେଖା, ପରୀକ୍ଷା ଫଳ ପ୍ରକାଶ ଦିନ ପ୍ରମାଣପତ୍ର ପାଇପାରିବେ ଛାତ୍ରଛାତ୍ରୀ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଗୁରୁବାର ଶେଷ ହୋଇଛି। ପ୍ରାୟ ୪ ଜିଲାରେ ମୂଲ୍ୟାଙ୍କନ ସରିବା ପରେ ଉତ୍ତରଖାତା ବୋର୍ଡ ମୁଖ୍ୟାଳୟରେ ପହଞ୍ଚିଥିବାବେଳେ ଅବଶିଷ୍ଟ ଜିଲାରୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଉତ୍ତରଖାତା ଆସି ପହଞ୍ଚିବ। ଆସନ୍ତା ମେ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରୀକ୍ଷା ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀ ପ୍ରମାଣପତ୍ର ପାଇପାରିବେ। ସେମାନଙ୍କୁ ଡିଜିଟାଲ ପ୍ରମାଣପତ୍ର ସେହିଦିନ କିଛି ଘଣ୍ଟା ମଧ୍ୟରେ ମିଳିବ। ଯଦି କୌଣସି ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥାନ୍ତି, ତାହେଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ଜୁନ୍ ମାସ ଶେଷ ଆଡ଼କୁ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ୩୦୮୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ପ୍ରାୟ ୯ ହଜାର ୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମାର୍ଚ୍ଚ ୨ରେ ପରୀକ୍ଷା ସରିବା ପରେ ୧୯ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବାକୁ ନିୟୋଜିତ ହୋଇଥିଲେ। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାୟ ସବୁ କେନ୍ଦ୍ରରେ ଖାତା ଦେଖା ଶେଷ ହୋଇଛି। ବୁଧବାର ସୁଦ୍ଧା ୯୫ ପ୍ରତିଶତ ଖାତା ଦେଖା ସରିଥିଲା ବେଳେ ଅବଶିଷ୍ଟ ୫ ପ୍ରତିଶତ ଖାତାର ମୂଲ୍ୟାୟନ ଗୁରୁବାର କରାଯାଇଥିଲା। ତେବେ ମୂଲ୍ୟାୟନରେ କୌଣସି ସମସ୍ୟା ହୋଇନଥିବା ଜଣାପଡ଼ିଛି।
Powered by Froala Editor