ବିଭିନ୍ନ ସ୍ଥାନରେ ବର୍ଷା ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା
ତିନି ଦିନ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି । ଉତ୍ତର ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ କାଳବୈଶାଖୀ ପ୍ରଭାବରେ ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଶନିବାର ଓ ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏ ସବୁ ସ୍ଥାନରେ ପବନ ୪୦ରୁ ୫୦ କିମି ରହିବ । ସେହିପରି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ଜଗତ୍ସିଂହପୁର ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି।
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପରିସ୍ଥିତିରେ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ତୋଫାନ ସମ୍ଭାବନା ରହିଛି।
Powered by Froala Editor