ଶୁଭୁନି ବୋଲବମ୍, ହରହର ବମ୍...

ଭୁବନେଶ୍ୱର: ରାସ୍ତାରେ ନାହାନ୍ତି କାଉଡିଆ । କାନରେ ପଡ଼ୁନି ବୋଲବମ୍, ହରହର ବମ୍... ଧ୍ୱନୀ । ଭୋଳାନାଥଙ୍କ ପୀଠରେ ବି ଜମିନି ଭିଡ଼ । ଶ୍ରାବଣ ମାସ ସୋମବାରରେ ବି ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଶୂନ୍ଶାନ୍ । ମହାମାରୀ କରୋନା ଗତ ବର୍ଷ ଭଲି ଏଥର ବି ଭକ୍ତ ଓ ଭଗବାନଙ୍କ ମଝିରେ ଟାଣିଛି ଲକ୍ଷ୍ମଣରେଖା ।
ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଓମ୍ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହେଉନି ମନ୍ଦିର ପରିସର । ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ନା ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ମନର କଥା କହି ପାରୁଛି । ନା ଭଗବାନଙ୍କର ଭକ୍ତ ସହ ମିଳନ ହୋଇ ପାରୁଛି ।
ପ୍ରତିବର୍ଷ ଶ୍ରାବଣ ସୋମବାରରେ ଉଛୁଳି ପଡ଼େ ରାଜ୍ୟର ବିଭିନ୍ନ ଶୈବପୀଠ । ଏ ବର୍ଷ ଖାଁ ଖାଁ ପରିବେଶ । କେବଳ ନୀତିକାନ୍ତି କରାଯାଉଛି । ସର୍ବସାଧାରଣ ଦର୍ଶନ ମନା । ଗତଥର ଭଳି ଏଥର ବି ମନ୍ଦିରରେ ନାହିଁ ଗହଳି ଚହଳି ।
ଶ୍ରୀଲିଙ୍ଗରାଜ ମନ୍ଦିର, ଆଠଗଡ଼ର ଧବଳେଶ୍ୱର ପୀଠ, ଢେଙ୍କାନାଳ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖର, ନୟାଗଡ଼ର ବାବା ଲଡୁବାବା, ପୁରୀର ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠରେ କଟକଣା ଲଗାଇଛି ପ୍ରଶାସନ । ଭକ୍ତଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି ।
ତଥାପି କିଛି ଭକ୍ତ ମନ୍ଦିର ବାହାରୁ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ବାହାରେ ଜାଳିଛନ୍ତି ଭକ୍ତିର ଦୀପଟିଏ । ଆଉ କାମନା କରିଛନ୍ତି ଏ କରୋନା ଶୀଘ୍ର ଦୂରେଇ ଯାଉ । ଏଥର ନହେଲା ନାହିଁ, ଆର ବର୍ଷକୁ ପରିସ୍ଥିତି ସ୍ୱାଭାବିକ ହୋଇଯାଉ । ପୁଣି ଥରେ ପାଣି ଢାଳିବାକୁ ସୁଯୋଗ ମିଳୁ ।
Powered by Froala Editor