ଗାଁରେ କୋକୁଆ ଭୟ: ରାତିରେ କାହା ଘରେ ଜଳୁନି ଚୁଲି
ରାୟଗଡ଼ା: ୫ ମାସ ଭିତରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ସୃଷ୍ଟି ହୋଇଛି କୋକୁଆ ଭୟ। ରୋଗାକ୍ରାନ୍ତଙ୍କ ପାଇଁ ଗୁଣିଆ କିମ୍ବା ଗାଁ ଦିଶାରୀ ଦ୍ବାରା ଚାଲିଛି ଝଡାଫୁଙ୍କା। ଆଉ ଭୂତ ସବାର ହୋଇଥିବା ଯୁବକଙ୍କୁ ଗାଁବାସୀ ଚପଲରେ ମାରୁଛନ୍ତି। କଥା ଏତିକିରେ ସରିନି, ବାହାର ଲୋକଙ୍କୁ ଗାଁ ଭିତରକୁ ପୂରାଇ ଦେଉ ନାହାନ୍ତି ଗାଁବାସୀ। ରାତିରେ କାହା ଘରେ ଚୁଲି ଜଳୁନି। ଅନ୍ଧବିଶ୍ବାସକୁ ନେଇ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି ରାୟଗଡ଼ା ଜିଲାର ଉପାନ୍ତ ମାରିଗୁଡ଼ା ଗ୍ରାମରେ।
ଗତ ୫ ମାସରେ ଏହି ଗ୍ରାମର ୫ ଜଣ ମୃତ୍ୟୁବରଣ କରିବା ପରେ ସେମାନଙ୍କ ଅତୃପ୍ତ ଆତ୍ମା ଗ୍ରାମରେ ବୁଲୁଥିବା ଗାଁବାସୀ ବିଶ୍ବାସ କରୁଛନ୍ତି।
ଲୋକଙ୍କ କହିବା କଥା କେତେବେଳେ କାହା ଦେହରେ ମୃତକଙ୍କ ଆତ୍ମା ଘୂରି ବୁଲିଛି। ଗତ ୫ ମାସ ମଧ୍ୟରେ ଗ୍ରାମର ୫ ଜଣ କାଣ୍ଟି ତାଢିଙ୍ଗି, ବାବୁ ମାଣ୍ଡାଙ୍ଗି, କାମ୍ବଲା କିଲକା, ପୁଲାମେ ମାଣ୍ଡାଙ୍ଗି ଓ ପୁଲ ମାଣ୍ଡାଙ୍ଗି ମୃତ୍ୟୁବରଣ କରିବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଗ୍ରାମରୁ ଭୂତ ବାହାର କରିବାକୁ ପୂଜାପାଠ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଗାଁ ଦିଶାରୀ କହିବା ପରେ ଗ୍ରାମବାସୀ ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଛନ୍ତି। ଲୋକଙ୍କ ମନରେ ଅନ୍ଧବିଶ୍ବାସ ଏତେ ଭରିଛି ଯେ ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ମନା। ଖବର ପାଇ ସଦର ବିଡିଓ ସୁଜିତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝେଇବା ସହିତ କିଛି ରୋଗାକ୍ରାନ୍ତଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲେ।
Powered by Froala Editor