ବଢିଲା କଟକ ଜିଲ୍ଲାପାଳଙ୍କ ଅଡୁଆ, ଜାଣନ୍ତୁ କାହିଁକି ?
କଟକ: ବଢିଲା କଟକ ଜିଲ୍ଲାପାଳଙ୍କ ଅଡୁଆ। କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଜାନୁଆରୀ ୨୩ ତାରିଖରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆମନ୍ତ୍ରଣ କରାଯାଇନଥିଲା। କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦେବାଶିଷ ଅଭିଯୋଗ କରିଥିଲେ କେଉଁ ଆଧାରରେ ଜିଲ୍ଲାପାଳ ମୋତେ ନିମନ୍ତ୍ରଣ କରିନାହାଁନ୍ତି ଏହା ରାଜ୍ୟସଭା ପାଇଁ ଅପମାନ। କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି କରିଥିଲେ।
ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଏ ବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି। ତାଙ୍କ ନିର୍ଦ୍ଦେଶ କ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ। ପୂର୍ବରୁ ପ୍ରୋଟୋକଲ ମାନି ମୋତେ ସରକାରୀ କାଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି। କିନ୍ତୁ ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁଁ ଜାଣିନାହିଁ। ଇମେଲ୍ରେ ନିମନ୍ତ୍ରଣ କରିଥିଲେ, ଇମେଲ୍ରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ। ରାତି ସାଢ଼େ ୮ଟାରେ ଇମେଲ୍ ଆସିଛି ଆଉ ସକାଳେ କାର୍ଯ୍ୟକ୍ରମ ଥିଲା। ଇମେଲ୍ ମୋ ରାଜ୍ୟସଭା ଅଫିସକୁ ଆସିଛି। ଫଳକ ଏବଂ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି। ତେଣୁ ମୁଁ ଆଶା କରୁଛି ବିଭାଗ ଏହି ଘଟଣାର ତର୍ଜମା କରି ପଦକ୍ଷେପ ନେବ।
Powered by Froala Editor