ହେଉନି ସଠିକ ଯାଞ୍ଚ, ଅଯୋଗ୍ୟ ହିତାଧିକାରୀ ହାତେଇବାରେ ଲାଗିଛନ୍ତି ଛାତ୍ରବୃତ୍ତି
ଭୁବନେଶ୍ବର: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ହେଲେ ସଠିକ ଯାଞ୍ଚ ଅଭାବରୁ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଛାତ୍ରବୃତ୍ତି ହାତେଇବାରେ ସକ୍ଷମ ହେଉଛନ୍ତି। ଫଳରେ ସରକାରୀ ପାଣ୍ଠି ଅପବ୍ୟବହାର ସହ ଆତ୍ମସାତ୍ ହେଉଛି। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ଯାଞ୍ଚ ନିର୍ଦେଶ ଦିଆଯାଇଛି।
ୟୁଜିସି ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଏହି ମର୍ମରେ ଏକ ପତ୍ର ଲେଖାଯାଇଛି। ଏଥିରେ ଦର୍ଶାଯାଇଛି, ଉତ୍ତର ପୂର୍ବାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଇସାନ ଉଦୟ ଛାତ୍ରବୃତ୍ତି ଯୋଜନା ଏବଂ ୟୁଜି-ପିଜି ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏନ୍ଏସ୍ପିଜି ଛାତ୍ରବୃତ୍ତି ୟୁଜିସି ପକ୍ଷରୁ କାର୍ଯ୍ୟକାରୀ ହେଉଛି।
ତେବେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ କିଛି ଅଯୋଗ୍ୟ ହିତାଧିକାରୀ ଇସାନ ଉଦୟ ଛାତ୍ରବୃତ୍ତି ଦାବି କରୁଥିବା ସନ୍ଦେହ ହେଉଛି। ଏନେଇ ପିଏମଓ ପିଜି ପୋର୍ଟାଲରୁ ଅଭିଯୋଗ ପ୍ରାପ୍ତ ହୋଇଛି। ସନ୍ଦେହଜନକ ମାମଲାଗୁଡ଼ିକ ସମ୍ପର୍କରେ ସମ୍ପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଇ-ମେଲ୍ ପଠାଯାଇଥିଲା। ୟୁଜିସି ଦ୍ବାରା ଯାଞ୍ଚ ପାଇଁ ଛାତ୍ରଛାତ୍ରୀଙ୍କ ବିବରଣୀ ନିଶ୍ଚିତ କରିବାକୁ କୁହାଯାଇଥିଲା। ହେଲେ ଏ ଦିଗରେ ସୀମିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିବାବେଳେ ଅନେକ ମାମଲାରେ ସୂଚନା ନିର୍ଦ୍ଧାରିତ ଫର୍ମାଟରେ ଦିଆଯାଇନଥିଲା। ଫଳରେ ଯାଞ୍ଚ ପାଇଁ ଅସୁବିଧା ହେଉଛି। ଏହି ଗୁରୁତ୍ବପୂର୍ଣ୍ଣ ବିଷୟରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯାଇଛି।
ଏହି ଯାଞ୍ଚ ପାଇଁ ଜଣେ ନୋଡାଲ ଅଧିକାରୀ (ନିର୍ଦେଶକ ପାହ୍ୟାଠୁ ତଳକୁ ନୁହେଁ) ମନୋନୀତ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ଏକ ୧୦ ସୂତ୍ରୀ ପରାମର୍ଶ ଜାରି ହୋଇଛି। ଯେଉଁଥିରେ ଯାଞ୍ଚବେଳେ କେଉଁକେଉଁ ଦିଗ ପ୍ରତି ଦୃଷ୍ଟି ଦିଆଯିବ ସେ ବିଷୟରେ ଜଣାଯାଇଛି। ୫ଟି କାର୍ଯ୍ୟ ଦିବସ ମଧ୍ୟରେ ଯାଞ୍ଚ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ରହିଛି। ୟୁଜିସି ନିର୍ଦେଶ ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ପଣ୍ଡା ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଏନେଇ ପତ୍ର ଲେଖିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।
Powered by Froala Editor