ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ପୁଣି ବଦଳିବ
ଭୁବନେଶ୍ୱର: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନିଶ୍ଚିତତା ମଧ୍ୟରେ ଝୁଲି ରହିଥିବା ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଶାମୁକା ପ୍ରକଳ୍ପର ନୂଆ ଡିଜାଇନ ପ୍ରସ୍ତୁତ କରାଯିବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।
୨୦୦୭ ମସିହାରେ ଏହି ପ୍ରକଳ୍ପ ଓଡ଼ିଶା ପର୍ଯ୍ୟଟନ ବିଭାଗ ହାତକୁ ଆସିବା ପରେ ଏହାର ନାମ ଶାମୁକା ବିଚ୍ ପ୍ରକଳ୍ପ ରଖାଯାଇଥିଲା। ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ପରେ ୨୦୦୮ରେ ଗୋଟିଏ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଗଲା। ପ୍ରକଳ୍ପ ପାଇଁ ପ୍ରାୟ ୯୫୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ୨୦୧୩ ମସିହାରେ କେନ୍ଦ୍ର ସରକାର ଜମିରେ ପାଚେରି ନିର୍ମାଣ ପାଇଁ ଇଡ୍କୋକୁ ୨୪ କୋଟି ଟଙ୍କା ଦେଇଥିଲେ। ଏଥିସହ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୮୦ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ପରିବେଶଜନିତ ସମସ୍ୟା ପାଇଁ ପ୍ରଥମ ଡିଜାଇନ୍ ଖାରଜ ହୋଇଥିଲା। ପୁଣି ୨୦୨୦ ମସିହାରେ ଦ୍ବିତୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଗଲା। ତା ଉପରେ ବି କାମ ଆଗକୁ ବଢ଼ିଲା ନାହିଁ। ଫଳରେ ଭିତ୍ତିଭୂମି ନିର୍ମାଣ ବ୍ୟୟ ଅଟକଳ ୧୬୬ କୋଟିରୁ ୨୩୫ କୋଟିକୁ ବଢ଼ି ଯାଇଥିଲା।
ଏବେ ପୁରୀରେ ଗ୍ରୀନ ଫିଲ୍ଡ ବିମାନବନ୍ଦର ନିର୍ମାଣ ହେଉଥିବାରୁ ଶାମୁକା ବିଚ୍ ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ଆବଶ୍ୟକତା ଦେଖା ଦେଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ମାର୍ଗଦର୍ଶିକା ଅନୁସାରେ ଶାମୁକା ବିଚ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମସ୍ୟା ଦେଖାେଦବ। ଏହା ନିକଟରେ କୌଣସି ପ୍ରକାର ନିର୍ମାଣ ପାଇଁ ପ୍ରତିବନ୍ଧକ ରହିଛି। ଏଏଆଇର ନିୟମକୁ ଦୃଷ୍ଟିରେ ରଖି ଶାମୁକା ବିଚ୍ ପ୍ରକଳ୍ପ ପାଇଁ ନୂଆ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଏକ ଅଭିଜ୍ଞ ସଂସ୍ଥାକୁ ନିୟୋଜନ କରାଯାଉ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଟିଡିସି ପରିଚାଳନା ନିର୍ଦେଶକଙ୍କୁ ପତ୍ର ଲେଖି କୁହାଯାଇଛି।
Powered by Froala Editor