ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ଓ ଅଣଶିକ୍ଷକ ପଦ
ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ରେ ଦେଖାଦେଇଛି ମାନବ ସମ୍ବଳ ଅଭାବ। ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ରହିଛି। ଶିକ୍ଷକ ନିଯୁକ୍ତି ପାଇଁ ସାକ୍ଷାତକାର ପରେ ନ୍ୟାୟାଳୟଙ୍କ କଟକଣା ଥିବାରୁ ଫଳ ପ୍ରକାଶ ପାଇପାରୁନି। ଛାତ୍ରଛାତ୍ରୀଙ୍କ ଅନୁପାତରେ ପ୍ରାୟ ୮୪୦ ଶିକ୍ଷକ ଓ ଅଣଶିକ୍ଷକ ଦରକାର ଥିବାବେଳେ ଏବେ ମାତ୍ର ୧୨୬ ଜଣ ଅଛନ୍ତି।
ଏବେକାର ଓୟୁଟିଆର ବିଶ୍ବବିଦ୍ୟାଳୟ ପୂର୍ବରୁ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ମହାବିଦ୍ୟାଳୟ ଥିଲା। ୧୯୮୧ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନରେ ଥିବା ଏହି ଶିକ୍ଷାନୁଷ୍ଠାନ ୨୦୦୨ରେ ବିପିୟୁଟି ଅଧୀନକୁ ଆସିଥିଲା। ୨୦୧୭ରେ ଶିକ୍ଷାନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ମିଳିଥିଲା। ୨୦୨୧ ଜୁଲାଇ ୧୭ରେ ଏକକ ବିଶ୍ବବିଦ୍ୟାଳୟ ପାଇଁ ଘୋଷଣା କରାଯାଇଥିଲା। ୨୦୨୧ ଅକ୍ଟୋବର ୮ରେ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିଲା। ମାତ୍ର ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ହେବା ପରେ ଅନୁମୋଦନପ୍ରାପ୍ତ ପଦ ସଂଖ୍ୟା ବଢ଼ି ନଥିଲା। ଏବେ ଶିକ୍ଷାନୁଷ୍ଠାନରେ ୧୦୦ ଏକର ପରିମିତ କ୍ୟାମ୍ପସରେ ୧୭ଟି ବିଟେକ, ୨୭ ଏମ୍ଟେକ୍ ବିଭାଗ ସମେତ ଏମ୍ବିଏ, ଏମ୍ସିଏ ଭଳି ବହୁ ପାଠ୍ୟକ୍ରମ ରହିଛି। ବିଶ୍ବବିଦ୍ୟାଳୟରେ ପ୍ରାୟ ୬ ହଜାର ୨ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଅନୁମୋଦନପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକଙ୍କ ସଂଖ୍ୟା ବଢୁନାହିଁ। ଦୀର୍ଘଦିନ ହେଲାଣି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଦାବି କରୁଥିଲେ ମଧ୍ୟ ସୁଫଳ ମିଳୁନି। ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଏବେ ୧୮୨ ଅନୁମୋଦନପ୍ରାପ୍ତ ଶିକ୍ଷକ ପଦ ରହିଛି। ସେଥିରୁ ମାତ୍ର ୮୨ ଜଣ ସ୍ଥାୟୀ ଅଧ୍ୟାପକ ଥିବାବେଳେ ଅବଶିଷ୍ଟ ପଦ ଖାଲି ପଡ଼ିଛି। ମହାବିଦ୍ୟାଳୟ ସମୟରେ ୧୮୨ ପଦ ଥିବାବେଳେ ତାହା ବୃଦ୍ଧି କରାଯାଇନି। ଏବେ ଛାତ୍ରଛାତ୍ରୀଙ୍କ ତୁଳନାରେ ୪ ଶହ ଶିକ୍ଷକ ଆବଶ୍ୟକ। ସ୍ଥାୟୀ ନିଯୁକ୍ତି ଅଟକି ରହିଥିବାବେଳେ ଚୁକ୍ତିଭିତ୍ତିକ, ପରିଦର୍ଶକ (ଭିଜିଟିଂ) ଓ ଆଡଜଣ୍ଟ ଅଧ୍ୟାପକରେ ଚାଲିଛି ପାଠପଢ଼ା। ଏହି ଶିକ୍ଷାନୁଷ୍ଠାନରେ ମୋଟ ୯୨ ଜଣ ଅନୁମୋଦନପ୍ରାପ୍ତ ଅଣଶିକ୍ଷକ ପଦ ରହିଛି। ମାତ୍ର ଏବେ ୪୪୦ ଅଣଶିକ୍ଷକ ଆବଶ୍ୟକତା ରହିଛି। ୯୨ ଅନୁମୋଦନପ୍ରାପ୍ତ ପଦ ମଧ୍ୟରୁ ମାତ୍ର ୪୫ ଅଣଶିକ୍ଷକ କାର୍ଯ୍ୟରତ। ସୀମିତ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ନେଇ ଗବେଷଣା, ପାଠପଢ଼ା ସହ ଅନ୍ୟ କାମ କରିବା କର୍ତ୍ତୃପକ୍ଷଙ୍କ ପାଇଁ କଷ୍ଟକର ବ୍ୟାପାର ପାଲଟିଛି। ହାତଗଣତି କେତେକ ଅଧ୍ୟାପକ ଓ କର୍ମଚାରୀଙ୍କୁ ଏକାଧିକ କାର୍ଯ୍ୟରେ ନିୟୋଜିତ କରାଯାଉଛି।
Powered by Froala Editor