ଜଙ୍ଗଲ ନିଆଁ ରୋକିବାକୁ ଏବେଠୁ ସଜାଗ
ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ବନାଗ୍ନି ଭୟ ଘାରିଲାଣି। ବାରମ୍ବାର ନିଆଁ ଲାଗୁଥିବା ଡମପଡ଼ା ସେକ୍ସନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୨୧ ମସିହାରେ ବନାଗ୍ନି ଏଠାରେ ଶୀର୍ଷରେ ପହଞ୍ଚିଥିଲା। ବନାଗ୍ନି ଦ୍ବାରା ଅଭୟାରଣ୍ୟର ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ିଯାଇଥିଲା। ଯେଉଁଥିପାଇଁ ମାର୍ଚ୍ଚରେ ଏଠାକାର ବନାଗ୍ନି ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ଆସିଥିଲେ। ପ୍ରତିନିଧି ଦଳ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ସହିତ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରି ନିଆଁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ବନ ବିଭାଗର ଆଗୁଆ ପଦକ୍ଷେପ ସ୍ବରୂପ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ରହିଥିଲା। ୨୦୨୩ରେ ପ୍ରାୟ ୨୦ କିମି ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ୨୦୨୪ ମସିହାରେ ୧୫ କିମି ଜଙ୍ଗଲ ନଷ୍ଟ ହୋଇଥିଲା। ତେବେ ୨୦୨୫ରେ ବ୍ୟାପକ ସଚେତନତା ଯୋଗୁଁ ନିଆଁ କମିଥିଲା। ଏଥର ଯେପରି ବ୍ୟାପକ ନିଆଁ ନ ଲାଗେ ଏବଂ କୌଣସି ଜୀବଜନ୍ତୁଙ୍କର ମୃତ୍ୟୁ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଅଭୟାରଣ୍ୟରେ ଅଧିକ ସଂଖ୍ୟାରେ ବାଉଁଶ ଗଛ ରହିଥିବାରୁ ଆଗୁଆ ପଦକ୍ଷେପ ସହ ବନଖଣ୍ଡ ପକ୍ଷରୁ ଜନସାଧାରଣଙ୍କ ସଚେତନତା ଉପରେ ପଦକ୍ଷେପ ନିଆଯାଇଛି।
ପିସିସିଏଫ୍ କେ ମୁରୁଗେସନ୍ କହିଛନ୍ତି ଯେ ପୂର୍ବବର୍ଷର ଅଭିଜ୍ଞତାକୁ ଆଧାର କରି ବନ ବିଭାଗ ଏବର୍ଷ ବାରମ୍ବାର ନିଆଁ ଲାଗୁଥିବା ଅଞ୍ଚଳରେ ଲମ୍ବା ଅଗ୍ନିରୋଧକ ରେଖା ସୃଷ୍ଟି ଓ ରକ୍ଷଣାବେକ୍ଷଣ କରିଛି। ଏଥିସହ ବିଭାଗ, ରେଞ୍ଜ ଓ ବିଟ୍ ସ୍ତରରେ ବନାଗ୍ନି ସୁରକ୍ଷା ଦଳ ନିଯୁକ୍ତ ହୋଇଛନ୍ତି।
ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିଲେ ଲିଭାଇବା ପାଇଁ ପାଣି ଆବଶ୍ୟକ। ତେଣୁ ଶୁଖିଯାଉଥିବା ହଳଦିଆ ରେଞ୍ଜର ଝଲଳା, ସୋଓରା ବିଲ, ନୂଆ କୂଅ, ଡେରାସ, ଚନ୍ଦକା ରେଞ୍ଜର ଝୁମୁକା, ଜାରିଆ ଅଞ୍ଚଳରେ ଥିବା ଖାଲ ଓ ପୋଖରୀଗୁଡ଼ିକରେ ଯେପରି ପାଣି ରହିବ ସେଥିପାଇଁ ବ୍ୟବସ୍ଥା ହେଉଛି। ଅଧିକ ଫରେଷ୍ଟ ଗାର୍ଡ ନିୟୋଜିତ ସହ ଆଖାପାଖ ଗାଁ ଲୋକଙ୍କୁ ସଚେତନ କରାଯିବ। ତେଣୁ ଏଥର ସତର୍କତା ଅବଲମମ୍ବନ ସହ ନିଆଁ କିଭଳି ନ ଲାଗିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
Powered by Froala Editor