ସାର୍ଥକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କଲେ ସାର୍ଥକଙ୍କ ମା’
ରାଉରକେଲା:ମଝି ସମୁଦ୍ରରେ ଓଡ଼ିଆ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯିବାର ଆଜକୁ ପାଞ୍ଚଦିନ ବିତିଗଲା। ତଥାପି ତାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରିଲା ନାହିଁ। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ସାର୍ଥକଙ୍କ ମା’ ରଶ୍ମିତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ତାଙ୍କର ଏକମାତ୍ର ପୁଅ ସାର୍ଥକକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବସନା ଦେଇଥିବା ରଶ୍ମିତା କହିଛନ୍ତି। ଏହାସହ ଶ୍ରୀଜଗନ୍ନାଥ ମୋ ଧନକୁ ଜୀବନ୍ତ ଫେରାଇ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ କମ୍ପାନୀ ପକ୍ଷରୁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳୁ ନ ଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି। ୬ତାରିଖ ପରେ ସିପିଂ ଡିଜିଙ୍କ ପକ୍ଷରୁ ଆଉ କୌଣସି ସୂଚନା ମିଳୁ ନାହିଁ। ଯେତେବେଳେ ପଚାରିଲେ ସନ୍ଧାନ ଚାଲିଥିବାର ସଂକ୍ଷିପ୍ତ ଉତ୍ତର ମିଳୁଛି। ତେବେ ପ୍ରଥମ ଦିନରୁ ସିସିଟିଭି ଫୁଟେଜ ଓ ଭଏଜ୍ ଡାଟା ରେକର୍ଡର (ଭିଡିଆର) ପ୍ରଦାନ କରିବା ପାଇଁ ସାର୍ଥକଙ୍କ ପରିବାର ପକ୍ଷରୁ ଦାବି ହେଉଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏସବୁ ପ୍ରଦାନ କରିବାକୁ ରାଜି ହେଉନାହାନ୍ତି। ଏହାସହ କମ୍ପାନୀ ଲଗ ବୁକ୍ ମଗା ଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ତାହା ପ୍ରଦାନ କରୁ ନ ଥିବାରୁ କମ୍ପାନୀର ଭୂମିକା ନେଇ ସନ୍ଦେହ ପ୍ରକାଶ ପାଉଛି। ଗୁରୁତ୍ବପୂର୍ଣ୍ଣ କଥା କେବଳ ଜାହାଜର ବାହାର ଅଂଶ ଦେଖାଯାଉଥିବାବେଳେ ଜାହାଜ ଭିତରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ଇଏ ଜର୍ସି ସହ ତିନୋଟି ଜାହାଜ ସହ ଆକାଶ ମାର୍ଗରୁ ମଧ୍ୟ ତଲାସି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।
Powered by Froala Editor