ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ଅଧିକାଂଶ ଥାନାରେ ସିସି କ୍ୟାମେରା ଲାଗିଛି, ହେଲେ ଏହାର ମରାମତି କିମ୍ବା ନିୟନ୍ତ୍ରଣ କକ୍ଷ ବୋଧହୁଏ ନାହିଁ। ରାଜଧାନୀର ଥାନାରେ ଲାଗିଥିବା କ୍ୟାମେରା ସ୍ମାର୍ଟସିଟି ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି। ଲାଗିଥିବା କ୍ୟାମେରା ମଧ୍ୟରୁ ଅଧାରୁ ଅଧିକ ଅଚଳ ଥିବା ଜଣାପଡ଼ିଛି। ସାରା ରାଜ୍ୟର ଅତି କମରେ ୪୧ଟି ପୁଲିସ/ଜିଆରପି ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃସ୍ଥାପନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଚିଠି ଜରିଆରେ ଅନୁରୋଧ କରାଯାଇଛି। ଓସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଡିଜି ଆଇନଶୃଙ୍ଖଳା ଏହି ଚିଠି ଲେଖିଛନ୍ତି। ଯାହା କେବଳ ଓଡ଼ିଶାର ସମସ୍ତ ପୁଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ସ୍ଥାପନକୁ ବାଧ୍ୟତାମୂଳକ କରିନାହିଁ ବରଂ ସେମାନଙ୍କର ସୁଗମ ଏବଂ ନିରନ୍ତର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ଅଫଲାଇନ୍ ସିସି କ୍ୟାମେରାର ପୁନରୁଦ୍ଧାର ଏବଂ କାର୍ଯ୍ୟକ୍ଷମତା ପାଇଁ ପ୍ରାଥମିକତା ଭିତ୍ତିରେ ତ୍ୱରିତ ପଦକ୍ଷେପ ନେବାକୁ ବରିଷ୍ଠ ପୁଲିସ ଅଧିକାରୀ ଓସିଏସିକୁ ଅନୁରୋଧ କରିଛନ୍ତି। ୪୧ଟି ପୁଲିସ/ଜିଆରପି ଷ୍ଟେସନକୁ ମୋଟ ୮୨୧ଟି ସିସିଟିଭି କ୍ୟାମେରା ମଞ୍ଜୁର କରାଯାଇଛି। କିନ୍ତୁ ସେଥିମଧ୍ୟରୁ ୩୯୨ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। କଟକ ୟୁପିଡି ପୁଲିସ ଷ୍ଟେସନରେ ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିରହିଛି। ଏଥିରୁ ରାଜଧାନୀ ମଧ୍ୟ ବାଦ୍ ପଡ଼ିନାହିଁ। ମୟୂରଭଞ୍ଜ ପୁଲିସ ଜିଲାରେ ମଧ୍ୟ ସମାନ ଅବସ୍ଥା।
ସୂଚନାଯୋଗ୍ୟ, କଟକ ୟୁପିଡିର ସାତଟି ଥାନାରେ ୬୬ଟି ସିସିଟିଭି କ୍ୟାମେରା ଅଚଳ ଅଛି। ସେହିପରି ମୟୂରଭଞ୍ଜ ପୁଲିସ ଜିଲାର ଛଅଟି ପୁଲିସ ଷ୍ଟେସନରେ ମୋଟ ୧୨୬ଟି ସିସି କ୍ୟାମେରା ମଧ୍ୟରୁ ୬୬ଟି ଅଚଳ ରହିଛି। ରାଜ୍ୟ ରାଜଧାନୀରେ ତିନୋଟି ପୁଲିସ ଷ୍ଟେସନ ଯଥା- ମୈତ୍ରୀ ବିହାର, ଧଉଳି ଏବଂ ନନ୍ଦନକାନନରେ ୩୮ଟି କ୍ୟାମେରା ଅଚଳ ରହିଛି। ବଜ୍ରପାତ ଯୋଗୁଁ ସିଷ୍ଟମ କ୍ଷତିଗ୍ରସ୍ତ ହେବା ପରେ ନନ୍ଦନକାନନ ଥାନାରେ ସମସ୍ତ ୨୦ଟି ସିସି କ୍ୟାମେରା ଅଚଳ ଥିବା ଜଣାପଡ଼ିଛି। ପୁଲିସ ସଙ୍ଗଠନ ସମ୍ପର୍କରେ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ୧ ସୁଦ୍ଧା ରାଜ୍ୟରେ ୬୮୪ଟି ପୁଲିସ ଷ୍ଟେସନ ଥିଲା। ପ୍ରାୟ ୧୨,୮୨୦ଟି ସିସିଟିଭି କ୍ୟାମେରା ଲଗାଯିବାକୁ ଥିଲା। ୫୯୩ଟି ପୁଲିସ ଷ୍ଟେସନରେ ୧୧,୮୬୦ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ପ୍ରାୟ ୯୬୦ଟି ସିସିଟିଭି କ୍ୟାମେରା ଲଗାଯିବା ବାକି ଅଛି।
Powered by Froala Editor