କୁନୋ ନ୍ୟାସନାଲ ପାର୍କରେ ବଢ଼ିଲେ ଚିତା ସଂଖ୍ୟା
ଶନିବାର ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଆଉ ୯ଟି ଚିତା ଅଣାଯାଇଛି । ଏଥିସହ କୁନୋରେ ଏବେ ଚିତା ସଂଖ୍ୟା ୩୬ରୁ ବଢ଼ି ୪୫ ହୋଇଛି । ଗାନ୍ଧୀ ସାଗର ଅଭୟାରଣ୍ୟରେ ଥିବା ୩ ଚିତାଙ୍କୁ ମିଶାଇ ଦେଶରେ ଚିତାସଂଖ୍ୟା ୪୮ ହୋଇଛି । ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ପର୍ଯ୍ୟାୟରେ ଅଧିକ ମାଈ ଚିତାଙ୍କୁ ଅଣାଯିବା ଦ୍ୱାରା କୁନୋରେ ଲିଙ୍ଗାନୁପାତ ଉନ୍ନତ ହେବ। ଏଥିଯୋଗୁ ସେଠାରେ ଜେନେଟିକ୍ ବିବିଧତା ମଧ୍ୟ ମଜଭୁତ ହେବ ।
ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସୱାନାରୁ ୬ଟି ମାଈ ଏବଂ ୩ଟି ଅଣ୍ଡିରା ଚିତାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ଗ୍ୱାଲିଅର ଅଣାଯାଇଥିଲା । ପରେ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ପହଞ୍ଚା ଯାଇଥିଲା । ସମସ୍ତ ୯ ଚିତାକୁ ଆଗାମୀ ମାସେ ଯାଏ ବିଶେଷ କ୍ୱାରେଣ୍ଟାଇନ୍ ୱାର୍ଡରେ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଅନୁଧ୍ୟାନରେ ରଖାଯିବ ।
୩ଟି ଭିନ୍ନ ଭିନ୍ନ ଦେଶର ଚିତା ଏକାଠି ରହିବା ଏହି ପ୍ରକଳ୍ପର ଦୀର୍ଘମିଆଦୀ ସଫଳତା ଲାଗି ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
Powered by Froala Editor