ପୋଖରୀକୁ ଡେଇଁପଡ଼ି ଯୁବକଙ୍କୁ ଉଦ୍ଧାର କଲେ ପୁଲିସ୍ ଅଧିକାରୀ
ରାଉରକେଲା: ରାଉରକେଲାରେ ଜଣେ ପୁଲିସ ଅଧିକାରୀଙ୍କ ସାହସ ଏବଂ ସମର୍ପଣଭାବକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି। ମାନବିକତାର ଉଦାହରଣ ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରି ଅଧିକାରୀ ଜଣକ ଜଣେ ଯୁବକଙ୍କୁ ପୋଖରୀରେ ବୁଡ଼ିବାରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଯାହା ଏବେ ସହରସାରା ଚର୍ଚ୍ଚା। ସୂଚନା ଅନୁଯାୟୀ, ପ୍ଲାଣ୍ଟସାଇଟ୍ ଥାନା ଅଧୀନରେ ଥିବା ଗୋପବନ୍ଧୁ ପାଲିରେ ଥିବା ଏକ ପୋଖରୀରେ ଜଣେ ଯୁବକ ଅସାବଧାନତାବଶତଃ ପଡ଼ିଯାଇଥିଲେ। ସେ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।
ଗୋପବନ୍ଧୁପାଲି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ସିନ୍ମୟ ବଳ ଘଟଣାସ୍ଥଳକୁ ଯାଇଥିଲେ। ସାହସର ସହ ପୋଖରୀକୁ ଡେଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପ୍ରୟାସ ପରେ, ସେ ଯୁବକଙ୍କୁ ପାଣିରୁ ଜୀବନ୍ତ ବାହାର କରିବାରେ ସଫଳ ହୋଇଥିଲେ। ପୁଲିସ ଅଧିକାରୀଙ୍କ ଏଭଳି ମାନବିକତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।
Powered by Froala Editor