ଗଭୀର ସମୁଦ୍ର ମଝିରେ ନିଖୋଜ ହୋଇଗଲେ ସାର୍ଥକ ମହାପାତ୍ର, ଚିନ୍ତା ପ୍ରକଟ କଲେ ନବୀନ
ଭୁବନେଶ୍ବର: ଓଡ଼ିଶାରୁ କ୍ୟାଡେଟ୍ ମହାପାତ୍ରଙ୍କ ନିଖୋଜ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତ ସରକାରଙ୍କ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିବେଦନ କରିବା ସହ ସାର୍ଥକଙ୍କ ପରିବାରକୁ ସମର୍ଥନ କରିବା ପାଇଁ ଅଂଶୀଦାରଙ୍କ ସହିତ ସମନ୍ୱୟ ସ୍ଥାପନ କରିବାକୁ କହିଛନ୍ତି ନବୀନ । ସନ୍ଧାନ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ନବୀନ ।
ଜଣେ ଶିକ୍ଷାନବୀଶ ଓଡ଼ିଆ ନାବିକ ଭଦ୍ରକ ଜିଲା ଗୋପାଳବିନ୍ଧାର ସାର୍ଥକ ମହାପାତ୍ର (୨୨) ଗଭୀର ସମୁଦ୍ର ମଝିରେ ନିଖୋଜ ହେବାର ତିନିଦିନ ପରେ ମଧ୍ୟ ତାଙ୍କର ଖୋଜଖବର ମିଳିନାହିଁ। ତେବେ ତାଙ୍କୁ ଠାବ ଓ ଉଦ୍ଧାର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ ଆୟୁକ୍ତ ବିଶାଳ ଗଗନ କେନ୍ଦ୍ରକୁ ଏନେଇ ଚିଠି ଲେଖିଛନ୍ତି। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ବନ୍ଦର, ସିପିଂ, ଜଳପଥ ମନ୍ତ୍ରଣାଳୟ ଅଧୀନ ସିପିଂ ସଚିବ ଏବଂ ମହାନିର୍ଦେଶକଙ୍କୁ ଶ୍ରୀ ଗଗନ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।
ସୂଚନା ଯେ, ‘ଇଏ ଜର୍ସି’ ନାମକ ଏକ ମାଲବାହୀ ଜାହାଜ ଭାରତ ମହାସାଗରରେ ଚୀନରୁ ପଶ୍ଚିମ ଆଫ୍ରିକା ଅଭିମୁଖେ ଯାଉଥିବାବେଳେ ଏଥିରେ କାର୍ୟ୍ୟ କରୁଥିବା ସାର୍ଥକ ମରିସସ୍ ନିକଟବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିଲେ। ୩ତାରିଖ ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା; କିନ୍ତୁ ସକାଳ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସେ ରହିବା ସ୍ଥାନ, ଡେକ୍ ଏବଂ ଅନ୍ୟାନ୍ୟ ଅଂଶକୁ ଯାଞ୍ଚ ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳି ନ ଥିଲା। ସକାଳ ପ୍ରାୟ ୯ଟା ୪୦ରେ ଜାହାଜର ‘ସାଧାରଣ ସତର୍କ ଘଣ୍ଟି’ ବଜାଯାଇ ସମସ୍ତ କ୍ରୁ ସଦସ୍ୟଙ୍କ ଗଣନା କରାଯାଇଥିବାବେଳେ ସାର୍ଥକଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହା ପରେ ଜାହାଜର ଗତି କମାଇ ଦିଆଯାଇ ସନ୍ଧାନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାହାଜରୁ ଏକ ବିପଦ ସଙ୍କେତ ଜାରି କରାଯାଇଥିଲା ଏବଂ ନିକଟସ୍ଥ ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଅବଗତ କରାଯାଇଥିଲା। ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର, ମରିସସ୍କୁ ମଧ୍ୟ ସତର୍କ କରାଯାଇଛି। ଆଖପାଖ ସମୁଦ୍ର ଅଞ୍ଚଳରେ ନିରନ୍ତର ସନ୍ଧାନ ଅଭିଯାନ ଜାରି ରହିଛି।
ଓଡ଼ିଆ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ କୌଣସି ସନ୍ଧାନ ମିଳିପାରି ନ ଥିବାରୁ ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି ା ଏକମାତ୍ର ପୁଅ ସାର୍ଥକଙ୍କୁ ଝୁରି ଝୁରି ତାଙ୍କ ମା’ ମାନସିକ ସ୍ଥିତି ହରାଇ ସାରିଲେଣି ା ସାର୍ଥକଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ସହ କଥାବାର୍ତ୍ତା କରାଇବା ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। ଭଦ୍ରକ ଜିଲା ଗୋପାଳବିନ୍ଧାର ମୂଳ ବାସିନ୍ଦା ସତ୍ୟଜିତ ମହାପାତ୍ର ଓ ରଶ୍ମିତା ସାହୁଙ୍କ ଏକମାତ୍ର ପୁତ୍ର ସାର୍ଥକ ରାଉରକେଲା ଛେଣ୍ଡରେ ରହୁଥିବା ତାଙ୍କ ବଡ଼ବାପା ଡାକ୍ତର ବିଶ୍ବଜିତ ମହାପାତ୍ରଙ୍କ ପାଖରେ ପିଲାଟି ଦିନରୁ ରହି ପାଠ ପଢ଼ୁଥିଲେ। ପରେ ଭୁବନେଶ୍ବର ସୈନିକ ବିଦ୍ୟାଳୟରେ ପଢ଼ିବା ପାଇଁ ସୁଯୋଗ ପାଇ ସେଠାକୁ ଯାଇଥିଲେ। ତେଣୁ ରାଉରକେଲାରେ ସେବିକା ଭାବେ କାର୍ୟ୍ୟ କରୁଥିବା ମା’ ରଶ୍ମିତା ମଧ୍ୟ ଭୁବନେଶ୍ବର ଯାଇ ସେଠାରେ ଏକ ହାସ୍ପାତାଲରେ ଯୋଗ ଦେଇଥିଲେ। ମେଧାବୀ ସାର୍ଥକ ସୈନିକ ସ୍କୁଲରେ ପାଠ ପଢ଼ି ସାରିବା ପରେ ‘ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣଗ୍ରିପ ସିପ୍ ମ୍ୟାନେଜମେଣ୍ଟ’ କମ୍ପାନୀ ଅଧୀନରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।
ଫେବୃଆରୀ ୪ ତାରିଖରେ ତାଙ୍କର ଇଣ୍ଟର୍ଣ୍ଣସିପ୍ ସରିବାର ଥିଲା। ଶେଷଥର ପାଇଁ ୨ ତାରିଖ ଦିନ ସାର୍ଥକ ତାଙ୍କ ମା’ଙ୍କ ସହ କଥା ହୋଇ ସେ ଭଲରେ ଥିବା ଓ ଖୁବ୍ଶୀଘ୍ର ତାଙ୍କ ନିକଟକୁ ଆସିବେ ବୋଲି କହିଥିଲେ ା ସାର୍ଥକଙ୍କ ମା’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆକୁଳ ନିବେଦନ କରିଛନ୍ତି।
Powered by Froala Editor