ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ
ବେଙ୍ଗାଲୁରୁ: ଆୟକର ବିଭାଗ ପକ୍ଷରୁ ବେଙ୍ଗାଲୁରୁସ୍ଥିତ କନ୍ଫିଡେଣ୍ଟ ଗ୍ରୁୁପ୍ କାର୍ଯ୍ୟାଳୟରେ ଚଢଉ କରାଯାଉଥିବାବେଳେ କମ୍ପାନୀର ଅଧ୍ୟକ୍ଷ ସି.ଜେ.ରାୟ ଆତ୍ମହତ୍ୟା କରିଥିବା ଜଣାପଡିଛି। ୫୭ ବର୍ଷୀୟ ରାୟଙ୍କ ଏହି କମ୍ପାନୀ ରିୟଲ ଇଷ୍ଟେଟ ବ୍ୟବସାୟରେ ସଂପୃକ୍ତ ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ତିନିଦିନ ହେବ କନ୍ଫିଡେଣ୍ଟ ଗ୍ରୁପ୍ କାର୍ଯ୍ୟାଳୟରେ ଆୟକର ଚଢଉ ଜାରି ରହିଛି। ତେବେ ଗୁରୁବାର ଚଢଉ ଚାଲିଥିବାବେଳେ ରାୟ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାୟଙ୍କ ପରିବାର ବିଦେଶରେ ଅବସ୍ଥାନ କରୁଥିବାରୁ ଆତ୍ମହତ୍ୟା ସମୟରେ କେହି ଉପସ୍ଥିତ ନଥିଲେ। ପୁଲିସ ପକ୍ଷରୁ ରାୟଙ୍କ ଆତ୍ମୀୟ ସ୍ବଜନଙ୍କୁ ଯୋଗାଯୋଗ କରାଯାଉଛି ବୋଲି ବେଙ୍ଗାଲୁରୁ ପୁଲିସ କମିସନର ସୂଚନା ଦେଇଛନ୍ତି। କର୍ଣ୍ଣାଟକ ଏବଂ କେରଳରେ ଏହି କମ୍ପାନୀର ବେଶ ପ୍ରଭାବ ରହିଛି। ତେବେ ବାରମ୍ବାର ଆୟକର ଚଢଉ ହେଉଥିବାରୁ ମାନସିକ ଭାରସାମ୍ୟ ହରାଇ ରାୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
Powered by Froala Editor