ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
ବନକଲାଗି ହେଉଛି ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ସେବା। ଦତ୍ତମହାପାତ୍ର ସେବକମାନେ ପାରମ୍ପରିକ ପ୍ରାକୃତିକ ରଙ୍ଗ ଯଥା – ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀମୁଖକୁ ଉଜ୍ଜ୍ୱଳ କରିଥାନ୍ତି। ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ପୁଣି ଥରେ ନୂତନ ରୂପ ପାଏ।
ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହି ସମୟରେ ପ୍ରାୟ ୩ ରୁ ୪ ଘଣ୍ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ଶ୍ରୀଜୀଉଙ୍କ ମହାସ୍ନାନ ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇପାରିବେ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Powered by Froala Editor