ଘର ଆଗରେ ପଡ଼ିଲା ଚାନ୍ଦିପୁର ଗୋଳା: ଭୟରେ ଦୌଡିଲେ ଲୋକ, ଗୋରୁଙ୍କ ନାକରୁ ବୋହିଲା ରକ୍ତ
ପ୍ରତିରକ୍ଷା ବିଭାଗ ପକ୍ଷରୁ ପରୀକ୍ଷଣ ହେଉଥିବା ଏକ ଅଫୁଟା ବୋମା ସମୁଦ୍ରରେ ନପଡି ଜଣଙ୍କ ଘର ସାମ୍ନାରେ ପଡିଛି । ଫଳରେ ସେଠାକାର ଲୋକ ଭୟରେ ଅଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ବାଲେଶ୍ୱର ଜିଲା ଚାନ୍ଦିପୁରଠାରେ ଥିବା ପ୍ରତିରକ୍ଷା ବିଭାଗର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ଗୋଳା ପରୀକ୍ଷଣ କରାଯାଉଥିଲା। ଅପରାହ୍ନ ସାଢେ ୩ଟାରେ ମହାରୁଦ୍ରପୁର ଆଡିଆ ସମୁଦ୍ରକୂଳ ଅଞ୍ଚଳରେ ଥିବା ଟେଷ୍ଟିଂ ଘରୁ ପ୍ରତିରକ୍ଷା ବିଭାଗର ଅଫିସର ଓ କର୍ମଚାରୀଙ୍କ ଉପସ୍ଥିତିରେ ୮ଟି ଗୋଳା ପରୀକ୍ଷଣ କରାଯାଇଥିଲା । ତାହା ସମୁଦ୍ର ମଧ୍ୟରେ ପଡି ଫାଟିଥିଲା । ମାତ୍ର ୪ଟା ବେଳେ ଅନ୍ୟ ଟେଷ୍ଟିଂ ରେଞ୍ଜରୁ ପରୀକ୍ଷଣ କରାଯାଇଥିବା ଗୋଳାଟି ମହାରୁଦ୍ରପୁର ଆଡିଆ ସମୁଦ୍ର ମଧ୍ୟରେ ନ ପଡ଼ି ସମୁଦ୍ର ଆଡିରୁ ୨୦୦ ମିଟର ଦୂରରେ ଥିବା ଅକ୍ଷୟା ନନ୍ଦ ଦାସଙ୍କ ଘର ସାମ୍ନାରେ ଗର୍ଜନ କରି ମାଟି ଭିତରେ ପୋତି ହୋଇଯାଇଥିଲା। ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ଘର ଭିତରେ ଥିବା ଖଟ ଉପରେ ବସିଥିବା ତାଙ୍କ ପୁଅ ଖଟ ସହିତ ଉପରକୁ ଉଠିଯାଇଥିଲେ। ବାହାରେ ବସିଥିବା ଅକ୍ଷୟାନନ୍ଦଙ୍କ ବୃଦ୍ଧ ବାପା ଭୟଙ୍କର ଶବ୍ଦରେ ଡରିଯାଇ ଘର ଭିତରକୁ ପଶିଯାଇଥିଲେ। ଗୁହାଳ ଘର ଭିତରେ ଥିବା ଗୋରୁଙ୍କ ନାକରୁ ରକ୍ତ ବାହରୁଥିବା ଦେଖିବାକୁ ମିଳିଥିଲା।
ତେବେ କିଛି ଦୂରରେ ଥିବା ପ୍ରତିରକ୍ଷା ବିଭାଗର ଟେଷ୍ଟିଂ ଫାୟାରିଂ ଘର ଭିତରେ ଅଫିସର ଓ କର୍ମଚାରୀମାନେ ଶବ୍ଦ ଶୁଣି ଲୋକମାନଙ୍କ ସହିତ ସେହି ଘରକୁ ଦୌଡି ଆସି ଅଫୁଟା ଗୋଳା ପଡ଼ିଥିବା ସ୍ଥାନକୁ ଦେଖିଥିଲେ। ପରେ ଲୋକେ ଗାତ ଖୋଳି ଗୋଳା ବାହାର କରିଥିଲେ ମଧ୍ୟ ସେମାନେ ସେହି ଗୋଳାକୁ ନେଇ ନ ଥିଲେ । କେବଳ ଯିବା ବେଳେ ଗୋଳା ଦେହରେ ଲେଖାଥିବା ନମ୍ବର (ଏମ ୮୫ପି୧୩ପିଡିଏ ୧୫୫ଏମଏମ)(୨୦୧୭, ୦୬/ପିଏସସି.୦୨/ଇସି) ଟିପି ନେଇ ପଳାଇଥିଲେ। ଅଫୁଟା ଗୋଳାର ଲମ୍ବ ସାଢେ ୩ ଫୁଟ ହେବ ବୋଲି ଜଣାପଡ଼ିଛି । ଲୋକେ ଓ ଗୃହପାଳିତ ପ୍ରାଣୀ ଅଳ୍ପକେ ବର୍ତ୍ତିଯାଇଥିଲେ। ମାତ୍ର ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
Powered by Froala Editor