ପାନୀୟ ଜଳାଭାବକୁ ନେଇ ପରିବାରରେ କଳହ, ସ୍ବାମୀଙ୍କୁ ଛାଡ଼ି ଦେଲା ସ୍ତ୍ରୀ
ରାୟଗଡା: ପାନୀୟ ଜଳାଭାବକୁ କେନ୍ଦ୍ରକରି ପରିବାରରେ ଫାଟ ହେବା ଭଳି ଘଟଣା ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପାନୀୟ ଜଳାଭାବକୁ ନେଇ ପ୍ରଥମେ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଏବଂ ପରେ ସ୍ବାମୀର ହାତ ଛାଡ଼ି ସ୍ତ୍ରୀ ବାପଘରକୁ ଚାଲିଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଦେଖିବାକୁ ମିଳିଛି।
ରାୟଗଡା ଜିଲା ସୀମାନ୍ତ ରାୟଗଡା ବ୍ଲକର କେରେଡ଼ା ପଞ୍ଚାୟତ ଅନ୍ତର୍ଗତ ତୁଳସୀୱାଲସା ଗ୍ରାମରେ ପାନୀୟ ଜଳ ସମସ୍ୟା ଗୁରୁତର ହୋଇଛି। ଏହି ଗ୍ରାମଟି ପାହାଡ ଉପରେ ଦଣ୍ଡାୟମାନ। ୩୮ ପରିବାରର ଶତାଧିକ ଲୋକ ବସବାସ କରନ୍ତି। ନଳକୂପ ଖୋଳା ଯାଇଥିଲେ ମଧ୍ୟ ପାଣି ବାହାରୁନି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୫ ବର୍ଷ ତଳେ ଗଁା ମୁଣ୍ଡରେ ପାଣି ଟାଙ୍କି ସ୍ଥାପନ କରାଯାଇଥିଲା। କିନ୍ତୁ ତାହା ସ୍ଥାପନ ପରଠାରୁ କାମରେ ଲାଗି ପାରୁନି। ବାରମ୍ବାର ଲୋକେ ପଞ୍ଚାୟତ ଓ ବ୍ଲକକୁ ଗୁହାରି କରି ଥକି ଗଲେଣି। ରାତି ପାହିଲେ ଲୋକେ ଚଳିବା ଚିନ୍ତା ଅପେକ୍ଷା ପାନୀୟ ଜଳକୁ ନେଇ ଚିନ୍ତାରେ ପଡୁଛନ୍ତି। ଏଭଳି ସ୍ଥିତିରେ କିଛି ଲୋକ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ତୁଳସୀୱାଲସା ଗ୍ରାମର ନରେନ୍ଦ୍ର ତାଡିଙ୍ଗୀ ୬ ମାସ ତଳେ ଆନ୍ଧ୍ରର ପାର୍ବତୀପୁରମରେ ବିବାହ କରିଥିଲେ। ବର୍ଷବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିବା ଏହି ଗ୍ରାମରେ ପାଣି ପାଇଁ ଗ୍ରାମବାସୀ ନିକଟସ୍ଥ ନାଳ ଉପରେ ନିର୍ଭର କରିଥାନ୍ତି। ନରେନ୍ଦ୍ରଙ୍କ ପତ୍ନୀ ସବୁଦିନେ ନାଳକୁ ଯିବା ତଥା ବିବାହ ପୂର୍ବରୁ ଘରେ ପାଣି ବ୍ୟବସ୍ଥା ହୋଇ ନ ପାରିବାରୁ ରୀତିମତ ଘରେ କଳି ହେଉଥିଲା। ଘରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସ୍ବାମୀଙ୍କୁ କହିଥିଲେ। ଗ୍ରାମରେ ଅଚଳ ହୋଇଥିବା ପାଣି ଟାଙ୍କି ମରାମତି ପାଇଁ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସମସ୍ୟାର ସମାଧାନ ହୋଇ ପାରି ନଥିଲା। ଶେଷରେ ଏହି ସମସ୍ୟାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ, ଶେଷରେ ସ୍ବାମୀଙ୍କୁ ଛାଡ଼ି ସ୍ତ୍ରୀ ବାପାଘରକୁ ଚାଲି ଯାଇଛନ୍ତି।
Powered by Froala Editor